ରାଇରଙ୍ଗପୁର: ୪ ବର୍ଷ ପରେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀ ଯୁବକକୁ ୧୦ ବର୍ଷର ଜେଲଦଣ୍ଡ ଦେଲେ ଅଦାଲତ । ୨୦୧୮ ମସିହାରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟ ବୁଧବାର ଦୋଷୀକୁ ୧୦ ବର୍ଷର ସଶ୍ରମ କାରାଦାଣ୍ଡ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୧ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ଉକ୍ତ ଯୁବକ ଜଣକ ହେଲେ ବାଙ୍ଗିରିପୋଷି ଥାନା ଅଞ୍ଚଳର ୨୫ ବର୍ଷୀୟ କାହ୍ନୁ ସିଂ । ଏହା ବ୍ୟତୀତ ପୀଡିତା ନାବାଳିକାକୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟ ବିଚାରପତି ସୁମିତା ଜେନା ଏହି ମାମଲାର ଶୁଣାଣି କରିଛନ୍ତି । ୧୮ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତିରେ ସେ କାହ୍ନୁ ସିଂକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ଏହି ରାୟ ପ୍ରକାଶ ପାଇବା ପରେ ଆସାମୀକୁ ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟ କାରାଗାରକୁ ପଠାଇ ଦିଆଯାଇଛି । ଉକ୍ତ ମାମଲାଟିକୁ ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଅଗଷ୍ଟ ୧୪ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଜନୈକା ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲା ଅଭିଯୁକ୍ତ କାହ୍ନୁ । ଏନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଆପୋଷ ବୁଝାମଣାରେ ଆସାମୀ ଜଣକ ପୀଡିତାକୁ ଗ୍ରହଣ କରି ନିଜ ଘରକୁ ନେଇଥିଲେ । କିନ୍ତୁ କିଛି ଦିନ ପରେ କାହ୍ନୁ ଅନ୍ୟ ଏକ ଝିଅ ସହ ଫେରାର ହୋଇ ଯାଇଥିଲା । ଯାହାକୁ ନେଇ ପୀଡିତାଙ୍କ ବାପା ସ୍ଥାନୀୟ ବାଙ୍ଗିରିପୋଷି ଥାନାରେ ୧୮/୦୮/ ୨୦୧୮ରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ କେସ୍ ନମ୍ବର ୯୭/୧୮ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ପକ୍ଷରୁ ପୀଡିତାଙ୍କ ବୟାନ ରେକର୍ଡ କରାଯିବା ସହ ତଦନ୍ତ ଆରମ୍ଭ କରାଯାଇ ଅଭିଯୁକ୍ତ କାହ୍ନୁ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।
ଇଟିଭି ଭାରତ, ରାଇରଙ୍ଗପୁର