ରାଇରଙ୍ଗପୁର: ମାତିଛନ୍ତି ଟ୍ରକ ଲୁଟେରା । ଟ୍ରକ ସହ ଚାଳକଙ୍କୁ ଅପହରଣ । ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ମାଛକାନ୍ଦଣା ଘାଟିରେ । ଏହି ଘଟଣାରେ ଅପହରଣକାରୀଙ୍କ ସହ ମୋଟ ଚାରିଜଣ ଆନ୍ତଃରାଜ୍ୟ ଟ୍ରକ ଲୁଟେରାଙ୍କୁ ଗିରଫ କରିଛି ରାଇରଙ୍ଗପୁର ଟାଉନ ପୋଲିସ ।
ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ସମ୍ବଲପୁରରୁ ଝାଡ଼ଖଣ୍ଡ ରାଜ୍ୟ ଯାଇଥିବା ଏକ ପାନ ମସଲା ବୋଝେଇ ଟ୍ରକକୁ ଯଶିପୁର-ରାଇରଙ୍ଗପୁର ରାସ୍ତାର ୨୨୦ ନଂ ଜାତୀୟ ରାଜପଥ ମାଛକାନ୍ଦଣା ଘାଟିରେ ଚାରି ଜଣ ଯୁବକ ବାଇକରେ ଆସି ଅଟକାଇଥିଲେ । ଟ୍ରକ ଚାଳକ ଗାଡ଼ି ରୋକିବା ମାତ୍ରେ ଦୁର୍ବୃତ୍ତମାନେ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଭୟଭୀତ କରାଇବା ସହିତ ଚାଳକର ବେକରେ ଏକ ଛୁରୀ ଲଗାଇ ହତ୍ୟା ଧମକ ଦେଇଥିଲେ । ଏଥିସହ ଚାଳକଙ୍କୁ ଅପହରଣ କରି ତାଙ୍କ ପାଖରୁ ମୋବାଇଲ ସହ ନଗଦ ୬ହଜାର ୫୩୦ ଟଙ୍କା ନେଇଯାଇଥିଲେ ।
କିନ୍ତୁ ରାଇରଙ୍ଗପୁର ସହରର ମୁର୍ମୁ ଛକ ନିକଟରେ ପୋଲିସ ପାଟ୍ରୋଲିଂ ଗାଡିକୁ ଦେଖି ଲୁଟେରାମାନେ ଟ୍ରକ ଚାଳକକୁ ଓହ୍ଲାଇ ଦେଇ ଟ୍ରକକୁ ନେଇ ଚାଲି ଯାଇଥିଲେ । ଏହାପରେ ଟ୍ରକ ଚାଳକ ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ରାଇରଙ୍ଗପୁର ଥାନାଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ଥାନା ଅଧିକାରୀ ସଦଳବଳେ ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁରର ପର୍ଶୁଡିହିକୁ ଯାଇ ଅପହରଣକାରୀଙ୍କୁ ଗିରଫ କରିଛନ୍ତି । ଏଥିସହ ପାନମସଲା ଥିବା ଟ୍ରକକୁ ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ନିକଟସ୍ଥ ଏକ ଜଙ୍ଗଲରୁ ଉଦ୍ଧାର କରିବା ପୋଲିସ ଲୁଟେରାଙ୍କ ଠାରୁ ବାଇକ ଓ ଛୁରୀ ଜବତ କରିଛି ।
ଅନ୍ୟପଟେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଏକ ଅପହରଣ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ଜାମସେଦପୁର ଅଞ୍ଚଳର ସେକ ଇବ୍ରାର, ମହମ୍ମଦ ଇକବାଲ, ୱାହିଦ୍ ରାଜା ଖାଁ ଓ ପୁଚୁ ଏନଥନି । ଏଥିସହ ଟ୍ରକ ଚାଳକ ହେଲେ ଉତ୍ତର ପ୍ରଦେଶ ଆଉରିଆ ଗ୍ରାମର ବିମଲେଶ ତିୱାରୀ । ତେବେ ଏମାନେ ସମସ୍ତଙ୍କ ନାମରେ ବିଭିନ୍ନ ଲୁଟ ଘଟଣାରେ ସଂପୃକ୍ତ ରହିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ