ରାଇରଙ୍ଗପୁର: ଭୁଜାଲିରେ ହାଣି ଲୁଟ ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଦଲକି ଛକ ନିକଟରେ ।
ସୂଚନା ଅନୁଯାୟୀ ରାଇରଙ୍ଗପୁର ସହରର ରମେଶ ଶର୍ମା ଓ ତାଙ୍କ ପୁଅ କିଶାନ ଶର୍ମା ଜଶିପୁର ଧୋବାଡ଼ିହା ଠାରେ ଥିବା ତେଜରାତି ଦୋକାନ ବନ୍ଦ କରି ରାତିରେ ବାଇକ ଯୋଗେ ଘରକୁ ଫେରୁଥିଲେ। ଫେରୁଥିବା ବେଳେ ଜଶିପୁର-ରାଇରଙ୍ଗପୁର ୨୨୦ ନମ୍ବର ଜାତୀୟ ରାଜପଥରେ ଦୁଇଜଣ ଦୁର୍ବୃତ୍ତ ସେମାନଙ୍କ ପିଛା କରିଥିଲେ । ଏହା ପରେ ହଠାତ ଦଲକି ଛକ ନିକଟରେ ସେମାନଙ୍କୁ ଚଳନ୍ତା ବାଇକରେ ଭୁଜାଲିରେ ଆକ୍ରମଣ କରିଥିଲେ ।
ରମେଶ ଶର୍ମା ଉପସ୍ଥିତ ବୁଦ୍ଧି ଖଟାଇ ଗାଡି ନ ଅଟକାଇ ଦ୍ରୁତ ଗତିରେ ପଳାଇଥିଲେ । ରମେଶ ବାଇକ ଚଳାଉଥିବା ବେଳେ ତାଙ୍କ ପୁଅ କିଶାନ ଶର୍ମା ବାଇକରେ ବସିଥିଲେ । ଫଳରେ କିଶାନ ଭୁଜାଲି ମାଡ଼ରେ ରକ୍ତାକ୍ତ ହୋଇଥିବା ବେଳେ ପୁଅକୁ ନେଇ ବାପା ହାଟବାଦଡା ହସ୍ପିଟାଲକୁ ନେଇ ପ୍ରାଥମିକ ଚିକିତ୍ସା କରାଇ ଘରକୁ ଫେରିଥିଲେ । ତେବେ ଉକ୍ତ ଦୁଇ ଦୁର୍ବୃତ୍ତ ଲୁଟ କରିବା ନେଇ ସେମାନଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡ଼ିଛି । ମାତ୍ର ଏ ନେଇ ବାଦାମପାହାଡ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ