ବାରିପଦା: ଦିନ ମଜୁରିଆଙ୍କ ଉପରେ କୋରୋନା ମାଡ଼ । ଖଡ଼ିଆ ସମ୍ପ୍ରଦାୟ ପାଇଁ ଦୁଃଖ ଆଣି ଦେଇଛି ଲକଡାଉନ । କୋରୋନା ମୁକାବିଲା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିବା ବେଳେ ଜୀବିକା ହରାଇଛନ୍ତି ଦିନମଜୁରିଆ । ଫଳରେ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି । ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ନିଜ ପେଟ ପୋଷୁଥିବା ଲୋକେ ଏବେ କାମ ଧନ୍ଦା ହରାଇ ଭୋକ ଉପାସରେ କାଟୁଛନ୍ତି ଦିନ । ପ୍ରଶାସନ ପକ୍ଷରୁ ନା ମିଳି ପାରୁଛି ଏମାନଙ୍କ ପାଖରେ ରନ୍ଧା ଖାଦ୍ୟ ନା ମିଳି ପାରୁଛି ସରକାରୀ ଭତ୍ତା । ମହୁଲ ଫୁଲ ସିଝା ଖାଇ ଦିନ କାଟୁଛନ୍ତି ଏହି ଖଡ଼ିଆ ସମ୍ପ୍ରଦାୟ ।
ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ସୁନାହଜା ଗାଁର 21ଟି ପରିବାର । ହାତରେ କାମ ନାହିଁ କି ପେଟକୁ ଦାନା ନାହିଁ । ଆଦିମ ଜନଜାତି ହେଉଛି ଏହି ଖଡ଼ିଆ ସମ୍ପ୍ରଦାୟ । ଏହି 21 ପରିବାର ମଧ୍ୟରୁ ଅନେକଙ୍କ ପାଖରେ ଏଯାବତ ପହଞ୍ଚି ପାରିିନି ଖଣ୍ଡେ ରାସନ କାର୍ଡ । ଗାଁ ରେ ବିଦ୍ୟୁତ ସଂଯୋଗ ନ ଥିବାବେଳେ ନ୍ୟୁଜ ଶୁଣିବାର ମାଧ୍ୟମ ସାଜିଛି ରେଡ଼ିଓ । ତେବେ ଏନେଇ ମୋରଡ଼ା ବ୍ଲକ ବିଡ଼ିଓ ଙ୍କୁ ଅବଗତ କରିବା ପରେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ