ରାଇରଙ୍ଗପୁର: ଦେଶରେ ମହାମାରୀ କୋରୋନା ପାଇଁ ବିଭିନ୍ନ ରାଜ୍ୟରେ ପରିସ୍ଥିତି ଅଣାୟତ୍ତ ହେବାକୁ ବସିଲାଣି । ତେଣୁ, କିଛି ରାଜ୍ୟରେ ସଂକ୍ରମଣ ରୋକିବାକୁ ସେହି ରାଜ୍ୟର ସରକାର ଲକଡାଉନ ଘୋଷଣା କରିଛନ୍ତି । ସେହିପରି ଓଡ଼ିଶାରେ ମଧ୍ୟ ସଂକ୍ରମଣ ହୁ ହୁ ହୋଇ ବଢୁଥିବାରୁ ସରକାର ସମ୍ପୂର୍ଣ୍ଣ ରାଜ୍ୟକୁ ଗତ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ଲକଡାଉନ ଘୋଷଣା କରିବା ସହ ରାଜ୍ୟର ସମସ୍ତ ସୀମା ସିଲ କରି ଚେକିଂ କଡ଼ାକଡ଼ି କରିଛନ୍ତି । ପ୍ରତ୍ୟେକ ଶନିବାର, ରବିବାର ଦୁଇ ଦିନ ସଟଡାଉନ ଓ ରାତ୍ରି କାଳୀନ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ କିଭଳି ଭାବେ ସୀମା ପାର ହୋଇ ବାହାର ରାଜ୍ୟକୁ ଶ୍ରମିକ ଚାଲାଣ ହେଉଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗତକାଲି ରାତିରେ ୧୫ ଜଣ ଶ୍ରମିକ ଏକ ପିକଅପ ଭ୍ୟାନରେ ବିପଦ ସଂକୁଳ ଅବସ୍ଥାରେ ଝାଡଖଣ୍ଡ କୁମାରଡୁଙ୍ଗିରୁ ଆନ୍ଧ୍ରପ୍ରଦେଶର ବିଜୟବାଡାକୁ ଚାଲାଣ ହେଉଥିବା ସମୟରେ କରଞ୍ଜିଆ ପୋଲିସ ସେମାନଙ୍କୁ ଅଟକ ରଖିବା ସହ 5000 ଟଙ୍କା ଫାଇନ ଆଦାୟ କରି ଛାଡ଼ି ଦେଇଥିଲେ । ତେବେ ଏଠାରେ ଝାଡଖଣ୍ଡ, ଓଡିଶା ସୀମାରେ କାର୍ଯ୍ୟରତ ରରୁଆଁ ପୋଲିସ କରୁଛି କଣ ? ସେପଟେ ଆନ୍ଧ୍ର, ଓଡିଶା ସୀମାରେ କିପରି ଭାବେ ଏହି ଗାଡି ଗୁଡିକୁ ପ୍ରବେଶ ପାଇଁ ଅନୁମତି ମିଳୁଛି ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ