ମୟୂରଭଞ୍ଜ: ମୋରଡ଼ା ଥାନା ଘୋଡ଼ାବନ୍ଧା ଖୁଣ୍ଟାପାଳ ଗ୍ରାମରେ ହୋଇଥିବା ଡବଲ ମର୍ଡର ଘଟଣା ଏବେ ଗୁରୁତର ରୂପ ନେବାରେ ଲାଗିଛି । ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିବା ପୋଲିସକୁ ଅଟକ ରଖିବା ସହିତ ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସ ଜିପ ଭଙ୍ଗାରୁଜା କରିଛନ୍ତି । ସେପଟେ ହତ୍ୟାକାରୀକୁ ଉତ୍ତ୍ୟକ୍ତ ଜନତା ଅଟକ ରଖିବା ସହିତ ମାଡ଼ ମାରି ଲହୁଲୁହାଣ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ମୋରଡ଼ା ଥାନା ଅନ୍ତର୍ଗତ ଖୁଣ୍ଟାପାଳ ଗ୍ରାମରେ ଡବଲ ମର୍ଡରକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିଲା । ପାରିବାରିକ କଳହରୁ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ନିଜ ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରିଥିଲା । ମୃତକ ମାନେ ସମ୍ପର୍କରେ ମା ଓ ଝିଅ ବୋଲି ଜଣାପଡ଼ିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ।
ଆଉ ଏହାପରେ ସେଠାରେ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ । ଉତ୍ତ୍ୟକ୍ତ ଜନତା ଏହି ଘଟଣା ପାଇଁ ପୋଲିସର ଦାୟିତ୍ବହୀନତାକୁ ଦାୟୀ କରିଛନ୍ତି । ଏପରିକି ଘଟଣାସ୍ଥଳରେ ପୋଲିସକୁ ଅଟକ ରଖିବା ସହିତ ପୋଲିସ ଗାଡ଼ିକୁ ମଧ୍ୟ ଭାଙ୍ଗିରୁଜି ଦେଇଛନ୍ତି । ସେପଟେ ଅଭିଯୁକ୍ତକୁ ମାଡ଼ ମାରି ଲହୁଲୁହାଣ କରିଦେଇଛନ୍ତି ।
ସୂଚନାଯୋଗ୍ୟ ମୃତକମାନେ ଗତକାଲି ଥାନାର ଦ୍ବାରସ୍ଥ ହୋଇଥିଲେ । ମାତ୍ର ପୋଲିସ ସେମାନଙ୍କ ଅଭିଯୋଗ ରଖିବା ପରିବର୍ତ୍ତେ ସେମାନଙ୍କୁ ସେଠାରୁ ଫେରାଇ ଦେଇଥିଲା । ପୋଲିସର ଏହି ଦାୟିତ୍ବହୀନ କାର୍ଯ୍ୟ ପାଇଁ ଏଭଳି ଲୋମଟାଙ୍କୁରା ଘଟଣା ଘଟିଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ