ପୁରୀ: ଶେଷ ହୋଇଆସୁଛି ବର୍ଷ ୨୦୨୪ । ମାତ୍ର ଆଉ ତିନିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ- ୨୦୨୫ । ତେବେ ବର୍ଷ ଶେଷ ଓ ନୂଆବର୍ଷ ଆରମ୍ଭରେ ଶ୍ରୀକ୍ଷେତ୍ରରେ ପୁରୀରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ପୂର୍ବ ବର୍ଷଗୁଡିକ ପରି ବଢିବାରେ ଲାଗିଛି । ତେବେ ମହାପ୍ରଭୁଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ବ୍ୟଗ୍ରତା ଥାଏ । ଫଳରେ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସହ ଜିଲ୍ଲା ଓ ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି ।
- ମାର୍କେଟ ଛକଠାରୁ ବାରିକେଡ:-
ଡିସେମ୍ବର ୩୧ ଏବଂ ଜାନୁୟାରୀ ପହିଲାରେ ପୁରୀକୁ ଲକ୍ଷାଧିକ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଆଗମନ ହେବ । ଏଣୁ ଶ୍ରୀମନ୍ଦିର, ସମୁଦ୍ର କୂଳ ସହ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ, ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ ବଡ଼ଦାଣ୍ଡ ମାର୍କେଟ ଛକଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ସେହିପରି ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ସମୁଦ୍ର ସ୍ନାନ ସମୟରେ ଯେଭଳି କୌଣସି ଅଘଟଣ ନ ଘଟେ ତା'କୁ ରୋକିବା ପାଇଁ ପର୍ଯ୍ୟପ୍ତ ଲାଇଫ ଗାର୍ଡ ନିୟୋଜିତ କରାଯାଇଛି।
- ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା
ଭୁବନେଶ୍ୱର ପଟୁ ଆସୁଥିବା ଗାଡ଼ିଗୁଡିକ ଜେଲ୍ ରୋଡ ଏବଂ ଶରଧାବାଲି ପାର୍କିଂରେ ପାଇଁ ବ୍ୟବସ୍ତା ହୋଇଛି । ସେହିପରି କୋଣାର୍କ ପଟୁ ଆସୁଥିବା ଗାଡ଼ିଗୁଡିକ ତାଳବଣିଆ ପଡ଼ିଆ, ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ିଗୁଡିକ ଷ୍ଟ୍ରଲିଙ୍ଗ ଏବଂ ଯାତ୍ରୀକାରେ ଗାଡ଼ି ପାର୍କିଂ ନେଇ ବ୍ୟବସ୍ଥା ହୋଇଛି । ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖ ଦିନ ବଡ଼ଦାଣ୍ଡର ମେଡିକାଲ୍ ଛକରୁ ଶ୍ରୀମନ୍ଦିର ଏବଂ ମେଡିକାଲ୍ ଛକରୁ ଭିଆଇପି ରୋଡ ଦେଇ ଲାଇଟ୍ ହାଉସ ଛକ ଯାଏଁ ଚାରିଚକିଆ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିବ ।
- ତିନି ପ୍ରବେଶ ପଥରେ ହେବ ଯାଞ୍ଚ
ପୁରୀ ସହରର ତିନୋଟି ପ୍ରବେଶ ପଥରେ ପୋଲିସ ପକ୍ଷରୁ ନାକା ଲଗାଯାଇ ପୁରୀକୁ ଆସୁଥିବା ଗାଡ଼ିଗୁଡିକୁ ଯାଞ୍ଚ କରାଯିବ। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ର କୂଳ ସହ ସହରର ପ୍ରମୁଖ ସ୍ଥାନଗୁଡ଼ିକ ସିସିଟିଭି ନଜରରେ ରହିବ । ନବବର୍ଷରେ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ସମସ୍ତ ଭକ୍ତ ଓ ପର୍ଯ୍ୟଟକ ପୋଲିସକୁ ସହଯୋଗ କରିବା ପାଇଁ ପୁରୀ ଏସପି ବିନିତ ଅଗ୍ରିଓ୍ବାଲ ନିବେଦନ କରିଛନ୍ତି ।
- 100 ଅଧିକାରୀଙ୍କ ସହ ମୁତୟନ ହେବେ 60 ପ୍ଲାଟୁନ ଫୋର୍ସ
ନବବର୍ଷ ପାଇଁ ପୁରୀ ସହରରେ ମୋଟ ୬୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ 100 ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ । ଡିସେମ୍ବର ୩୧ ତାରିଖ ସକାଳୁ ପୁରୀକୁ ଆସୁଥିବା ଗାଡ଼ିଗୁଡିକ ପାଇଁ ଟ୍ରାଫିକ କଟକଣା ଲଗାଯିବ । ଏହି କଟକଣା ଜାନୁଆରୀ ୧ ତାରିଖ ଦିନ ମଧ୍ୟ ବଳବତ୍ତର ରହିବ। ଏଣୁ ପୁରୀକୁ ଆସୁଥିବା ଭକ୍ତ ପର୍ଯ୍ୟଟକମାନେ ପୁରୀ ପୋଲିସ ପକ୍ଷରୁ ସୋସିଆଲ ମିଡିଆରେ ଦିଆଯାଇଥିବା ସୂଚନାକୁ ଦେଖି ପୁରୀକୁ ଆସିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।
- ମହାପ୍ରଭୁଙ୍କୁ ଦର୍ଶନ କଲେ ଷ୍ଟାର-ଦମ୍ପତି ସବ୍ୟସାଚୀ ଏବଂ ଅର୍ଚ୍ଚିତା
ଓଲିଉଡ଼ ଅଭିନେତା ସବ୍ୟସାଚୀ ଏବଂ ଅର୍ଚ୍ଚିତା ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ସରକାର ଅନେକ କିଛି ପଦକ୍ଷେପ ନେଉଥିବାବେଳେ ଏହା ଭକ୍ତଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ସବ୍ୟସାଚୀ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ଭକ୍ତମାନେ ଶୃଙ୍ଖଳିତ ଭାବେ ଧୈର୍ଯ୍ୟର ସହ ମହାପ୍ରଭୁଙ୍କ ଦର୍ଶନ କରି ଭଲରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଅନୁରୋଧ କରିଛନ୍ତି ପତ୍ନୀ ତଥା ଓଲିଉଡ଼ ଅଭିନେତ୍ରୀ ଅର୍ଚ୍ଚିତା । ଆସନ୍ତା ନବବର୍ଷ ୨୦୨୫ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଷ୍ଟାର-ଦମ୍ପତି ସବ୍ୟସାଚୀ ଏବଂ ଅର୍ଚ୍ଚିତା ।
- ଏମିତି ପରାମର୍ଶ ଦେଲେ ବରିଷ୍ଠ ସେବାୟତ
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ନିଜ ପ୍ରତିକ୍ରିୟା ରେ କହିଚନ୍ତି, ବଡଦିନ ଛୁଟି ପରଠାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ ଯଥେଷ୍ଟ ବଢୁଛି । ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ନୂଆବର୍ଷରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଣୁ ଶ୍ରୀମନ୍ଦିରରେ ନୀତିକାନ୍ତି ସଠିକ୍ ସମୟରେ କିଭଳି ହୋଇ ପାରିବ ତାହା ଉପରେ ପ୍ରଶାସନ ନଜର ରଖିବା ଉଚିତ୍ । ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବିତ ହେଲେ ଭକ୍ତମାନେ ଦର୍ଶନ ପାଇବାରେ ବେଶ ଅସୁବିଧା ଭୋଗିବେ । ଶ୍ରୀମନ୍ଦିର ସାତ ପାହଚଠାରୁ ନାଟ ମଣ୍ଡପରେ ପ୍ରବଳ ଭିଡ଼ ହେଉଛି । ଯାହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ । ଏଣୁ ବୃଦ୍ଧ ଓ ଅସୁସ୍ଥ ଲୋକମାନେ ଏହି ଭିଡ ସମୟରେ ନଆସିବା ଉଚିତ୍ । ନୂଆବର୍ଷ ଭିଡ 7ରୁ 8 ଦିନ ଭିତରେ କମିଯିବ ।’’
ଇଟିଭି ଭାରତ, ପୁରୀ