ରାଇରଙ୍ଗପୁର: ସହିଦ ଦିବସ ପାଳନ ଅବସରରେ ଜେଏମଏମ ପକ୍ଷରୁ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆ ଠାରେ ସହିଦ ଦିବସ ପାଳନ କରାଯାଇଥିବା ବେଳେ ଏହି ଅବସରରେ ରାଇରଙ୍ଗପୁର ସହରର ବ୍ଲକ ପଡିଆରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ଜନସମାବେଶ ଆୟୋଜିତ ହୋଇଥିଲା । JMM ରାଜ୍ୟ ସଭାପତି ଅଞ୍ଜନା ସୋରେନଙ୍କ ନେତୃତ୍ବରେ ଏହି ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା ।
ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟର ମଝିଗାଁ ବିଧାୟକ ନିରାଲ୍ ପୁର୍ତ୍ତି ଓ ବହଡାଗୋଡା ବିଧାୟକ ସମୀର ମହାନ୍ତି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ଓ ଝାଡ଼ଖଣ୍ଡ ରାଜ୍ୟର ତୁଙ୍ଗ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଉକ୍ତ ସମାବେଶରେ ଯୋଗ ଦେଇଥିବା ଅତିଥିମାନେ ସର୍ବ ପ୍ରଥମ ଗୁଣ୍ଡୁରିଆରେ ପହଞ୍ଚି ସେଠାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗୁଣ୍ଡୁରିଆରେ ସହିଦମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ଜେଏମଏମ ପକ୍ଷରୁ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ବୃହତ ଝାଡ଼ଖଣ୍ଡ ରାଜ୍ୟ ଗଠନ ପାଇଁ ଆଦିବାସୀମାନେ ବଳିଦାନ ଦେଇ ସହିଦ ହୋଇଥିବାବେଳେ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ମତବ୍ୟକ୍ତ କରିଥିଲେ JMMର ବରିଷ୍ଠ ନେତାମାନେ ।
ତେବେ ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାକାର ଆଦିବାସୀଙ୍କ ବିକାଶ ହୋଇ ପାରୁନଥିବା ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛି JMM । ଝାଡ଼ଖଣ୍ଡ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାରରେ ଜନସାଧାରଣଙ୍କୁ ସମସ୍ତ ସୁବିଧା ତଥା ଗରିବ, ଖଟିଖିଆ ଓ ଦିନମଜୁରିଆଙ୍କୁ ମଧ୍ୟ ସ୍ବତନ୍ତ୍ର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ବେଳେ ଓଡ଼ିଶାରେ ଆଦିବାସୀମାନଙ୍କୁ ଅବହେଳା କରାଯାଉଥିବା ନେଇ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ ବହଡାଗୋଡା ବିଧାୟକ ସମୀର ମହାନ୍ତି । ସେପଟେ ଆଜିର ଏହି ସମାବେଶରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ କୌଣସି ଅସୁବିଧା ବଶତଃ ସେ ଯୋଗଦେଇ ପାରିନଥିଲେ ବୋଲି କହିଛନ୍ତି ହେମନ୍ତ ସୋରେନଙ୍କ ଭଉଣୀ ତଥା JMM ରାଜ୍ୟ ସଭାପତି ଅଞ୍ଜନା ସୋରେନ । ଏକ ପ୍ରକାର କହିବାକୁ ଗଲେ ଏହି ଗୁଣ୍ଡୁରିଆ ସହିଦ ଦିବସ ଅବସରରେ JMM ତାର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏହି ସମାବେଶରେ ହଜାରହଜାର ସଂଖ୍ୟାରେ ଆଦିବାସୀ ପୁରୁଷ ଓ ମହିଳା ଯୋଗଦେଇଥିବା ବେଳେ ଆଦିବାସୀ ପାରମ୍ପରିକ ନୃତ୍ୟଗୀତ ପରିବେଷଣ ହୋଇଥିଲା ।
ଇଟିଭି ଭାରତ, ମୟୂରଭଞ୍ଜ