ବାରିପଦା: ସ୍ତ୍ରୀକୁ ବାଡେଇ ବାଡେଇ ମାରିଲା ସ୍ବାମୀ । ଏପରି ଏକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ। ଏପରିକି ଘଟଣାକୁ ଲୁଚାଇବାକୁ ଯାଇ ସ୍ବାମୀ ଗୋଟିଏ ଦିନ ମୃତଦେହକୁ ଘରେ ଲୁଚାଇଥିଲା । ଖବର ପାଇ ପୋଲିସ ମୃତଦେହକୁ ଜବତ କରିବା ସହ ଶ୍ବଶୁର ଘର ଲୋକଙ୍କୁ ଥାନାରେ ଅଟକ ରଖିଛି । ତେବେ ସ୍ଵାମୀ ଫେରାର ଥିବା ଜଣାପଡିଛି ।
ସୂଚନା ଅନୁସାରେ, ରୁଗୁଡି ଗ୍ରାମର ଗୁରା ସାଏ ପୂର୍ବରୁ ଜଣେ ମହିଳାଙ୍କୁ ବିବାହ କରିଥିବା ବେଳେ ଦୁଇ ବର୍ଷ ପୂର୍ବେ ଦେବାନବାହାଳି ଗ୍ରାମର ଜିରେ ସାଏକୁ ବିବାହ କରିଥିଲେ । ବିବାହ ପର ଠାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଆସୁଥୁଲା । ଗତ ରବିବାର ରାତିରେ ଗୁରା ସାଏ ଏବଂ ତାଙ୍କ ଦ୍ବିତୀୟ ସ୍ତ୍ରୀ ଜିରେ ସାଏ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ସୋମବାର ଦିନ ଏହି ଘଟଣାକୁ କେନ୍ଦ୍ର କରି ଜିରେକୁ ଗୁରା ସାଏ ଏକ ବାଡିରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି। ଏହାପରେ ସେ ମୃତଦେହକୁ ଘରେ ଲୁଚାଇ ରଖିଥିଲା । ପୋଲିସ ଏ ସଂପର୍କରେ ଖବର ପାଇବା ପରେ ସେ ସେଠାରୁ ଫେରାର ହୋଇଯାଇଥିଲା ।
ତେବେ ଗତ ମଙ୍ଗଳବାର ମୃତକ ଜିରେ ସାଏର ପରିବାର ଲୋକେ ଏ ସଂପର୍କରେ ଜାଣିବା ପରେ ଶରତ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ମୃତକଙ୍କ ଶାଶୂ ଓ ଗୁରା ସାଏଙ୍କ ଦ୍ବିତୀୟ ପତ୍ନୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ