ବାରିପଦା: ଲଘୁଚାପଜନିତ ଲଗାଣ ବର୍ଷା ପରେ ଜମ୍ଭୀରା ନଦୀରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ୪୦ରୁ ଊର୍ଦ୍ଧ୍ବ ଗାଁ ଲୋକେ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି । ଗତକାଲି ଉପର ମୁଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ଜମ୍ଭୀରା ନଦୀରେ ହଠାତ ଜଳସ୍ତର ବଢିବା ସହ ବନ୍ୟା ପରିସ୍ଥିତି ସଷ୍ଟି ହୋଇଥିଲା। ମୋରଡ଼ା ବ୍ଲକ ଅଞ୍ଚଳରେ ବର୍ତ୍ତମାନ ନଦୀରେ ଜଳସ୍ତର ଧୀରେ ଧୀରେ ଖସୁଥିବାବେଳେ ଏବେ ରାସଗୋବିନ୍ଦପୁର ବ୍ଲକର ୩୦ରୁ ଊର୍ଦ୍ଧ୍ବ ଗାଁର ଲୋକେ ଏବେ ମଧ୍ୟ ପାଣି ଘେରରେ ରହିଛନ୍ତି । ଅନ୍ୟପକ୍ଷରେ ଶତାଧିକ କଚ୍ଚା ଘର ଭାଙ୍ଗି ଯାଇଥିବାବେଳେ ଚାଷ ଜମିରେ ପାଣି ମାଡ଼ି ଚାଷ ମଧ୍ୟ ନଷ୍ଟ ହୋଇଛି ।
ଆଜି ରାସଗୋବିନ୍ଦପୁର ବ୍ଲକର ଭେଡିସାହି, ପଦ୍ମତୋଳିଆ,ମୁରୁଡ଼ା, ହାଣ୍ଡିଧୁଆ, ପାଞ୍ଚମାଣିଆ,ଡୁହିଲପୁରା, ପିଙ୍ଗୁଡି,ଭୋଗବାଟି, ଏକତାଲି, ସାତଶଡ଼ିଆ ଆଦି ୨୦ରୁ ଊର୍ଦ୍ଧ୍ବ ଗାଁ ଲୋକେ ପାଣିଘେରରେ ରହିଛନ୍ତି । ରାସଗୋବିନ୍ଦପୁର ବ୍ଲକର ନଦୀ କୂଳରେ ଥିବା ବିଭିନ୍ନ ଗାଁରୁ ଓଡ୍ରାଫ ଟିମ ଦ୍ବାରା ଗ୍ରାମବାସୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟପକ୍ଷରେ ଏବେବି ୬୧ ନମ୍ବର ରାଜ୍ୟ ରାଜପଥର ଅମରଦା-ବାରିପଦା ରାସ୍ତାର ଭରଡ଼ାନଣ୍ଡା ପୋଲ ନିକଟରେ ରାସ୍ତା ଉପରେ ବନ୍ୟାଜଳ ପ୍ରଭାବିତ ହେଉଥିବାରୁ ଯାତାୟାତ ସ୍ବାଭାବିକ ହୋଇପାରିନାହିଁ ।
ବନ୍ୟାଞ୍ଚଳରେ ରାସଗୋବିନ୍ଦପୁର ତହସିଲଦାର ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ ଜାରି ରହିଥିବା କହିଛନ୍ତି । କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିବା ପରେ ସହାୟତା ଯୋଗାଇ ଦିଆଯିବା ନେଇ ମଧ୍ୟ ତହସିଲଦାର ସୂଚନା ଦେଇଛନ୍ତି । ମହାମାରୀରେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଶୁଡି ପଡିଥିବାବେଳେ ଏବେ ବନ୍ୟା ବିଭୀଷିକା ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରିଛି । ବର୍ତ୍ତମାନ ପରସ୍ଥିତିରେ କେବଳ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ବନ୍ୟା ବିପନ୍ନ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ