ଭୁବନେଶ୍ବର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସୁରକ୍ଷାକୁ ସୁଦୃଢ କର । ଏନେଇ ତୁରନ୍ତ ବ୍ୟାପକ ରଣନୀତି ଓ ପଦକ୍ଷେପ ନିଅ । ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଜି ମଧ୍ୟ ବସିଛି ବୈଠକ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୟୂରଭଂଜ ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ପରବର୍ତ୍ତୀ ପଦକ୍ଷେପ ପାଇଁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ସଶସ୍ତ୍ର ଶିକାରୀଙ୍କ ଦ୍ବାରା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏହି ଅଭୟାରଣ୍ୟର ସୁରକ୍ଷା ପାଇଁ ଉଭୟ ସ୍ବଳ୍ପ ଏବଂ ଦୀର୍ଘମିଆଦୀ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ସଂପର୍କରେ ବିଶଦ ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡିଶାର ଶିମିଳିପାଳ ଅଭୟାରଣ୍ୟ ଆମ ଦେଶର ଗର୍ବ ଓ ଗୌରବ । ଏହାର ସୁରକ୍ଷା ପାଇଁ ସମସ୍ତଙ୍କର ସହଯୋଗ ନିତାନ୍ତ ଆବଶ୍ୟକ । ଅତୀତରେ ବନ୍ୟା ବାତ୍ୟା ଭଳି ବଡ ବଡ ବିପର୍ଯ୍ୟୟକୁ ମୁକାବିଲା କରିବାରେ ଓଡିଶା ସୁନାମ ଅର୍ଜନ କରିଛି । ନିକଟରେ ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ଗୋଷ୍ଠୀ ଅଭୂତପୂର୍ବ ସହଯୋଗ ଦେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପ୍ରସଙ୍ଗରେ ବନ ବିଭାଗରେ ଖାଲିଥିବା ପଦବୀଗୁଡିକ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଅଭୟାରଣ୍ୟ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସମ୍ମିଳିତ ପ୍ରୟାସର ଆବଶ୍ୟକତା ରହିଛି ।
ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ମୟୁରଭଂଜ ଜିଲ୍ଲାପାଳ, ଏସପି ଓ ବିଡିଓଙ୍କୁ ସମସ୍ୟାର ସମାଧାନ ପାଇଁ ସମ୍ମିଳିତ ପ୍ରୟାସ ଦିଗରେ ସମ୍ମନ୍ବିତ ଆକ୍ସନ ପ୍ଲାନ ଦେବାକୁ କୁହାଯାଇଛି । ସ୍ଥାନୀୟ ଭାଷାରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ସାମଗ୍ରୀ ବିକଶିତ କରିବା ଏବଂ ଗ୍ରାମବାସୀଙ୍କ ସହ ନିୟମିତ ସଚେତନତା ବୈଠକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାସ୍ତରରେ ସ୍ବେଚ୍ଛାସେବୀ ସଂଗଠନ, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସମ୍ପୃକ୍ତିରେ ସମନ୍ବୟ କକ୍ଷ ଖୋଲାଯାଇ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ କୁହାଯାଇଛି । ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି କହିଛନ୍ତି । ଏହା ସହ ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଅନୁସାରେ ଏହି ମିଶନର ସଫଳତା ପାଇଁ ପୋଲିସ ପ୍ରଶାସନର ସମସ୍ତ ସହଯୋଗ ରହିବ ବୋଲି ସେ କହିଛନ୍ତି ।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଯୋଗଦେଇ ଶିମିଳିପାଳ ଅଭୟାରଣ୍ୟର ଗୁରୁତ୍ବ ସଂପର୍କରେ ସୂଚନା ଦେଇଛନ୍ତି । ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ୨୫୨ ଟି ଗ୍ରାମର ପ୍ରାୟ ୧୦ ହଜାରରୁ ଅଧିକ ଅଧିବାସୀ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରୁଛନ୍ତି । ଏଥିରୁ ୫ ଟି ଗ୍ରାମର ୨୫୦ ପରିବାରଙ୍କୁ ସଂପୂର୍ଣ୍ଣ ଭାବେ ଅନ୍ୟତ୍ର ସ୍ଥାନାନ୍ତର ପରେ ବସତି ବ୍ୟବସ୍ଥା କରାଯାଇସାରିଛି । ୧୯୭୩ ମସିହାରେ ଭାରତ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଦେଶରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପ୍ରମୁଖ ୯ଟି ପ୍ରକଳ୍ପ ମଧ୍ୟରୁ ଏହା ଅନ୍ୟତମ । ଏଥିରେ ୧୨୦୦ ପ୍ରଜାତିର ଫୁଲ ଗଛ, ୯୭ ପ୍ରକାର ଅର୍କିଡ, ୬୦ ପ୍ରକାର ସରୀସୃପ, ୩୫୦ ପ୍ରକାର ପକ୍ଷୀ ଓ ୫୫ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି । ଏହି ଅଭୟାରଣ୍ୟ ଦେଶରେ ବିରଳ ପ୍ରଜାତିର ବାଘ ପାଇଁ ପ୍ରସିଦ୍ଧ । ଏହାର ସୁରକ୍ଷା ପାଇଁ ୬୦୦ରୁ ଉର୍ଦ୍ଧ୍ଵ ବନସୁରକ୍ଷା ସହାୟକ, ଆଖପାଖ ଅଂଚଳରୁ ନିୟୋଜିତ କରାଯାଇଥିବା ବେଳେ ଜଙ୍ଗଲରେ ନିଆଁ ଲିଭାଇବା ସମୟରେ ୨୦୦ ରୁ ଅଧିକ ଲୋକ ମୁତୟନ ରହିଥାନ୍ତି । ୮୦ ରୁ ଅଧିକ ଇକୋ ଉନ୍ନୟନ ପରିଷଦ ଜଙ୍ଗଲ ଡିଭିଜନ ସୀମାରେ ଗଠନ କରାଯାଇଛି ।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ୨୭୫୦ ବର୍ଗ କିଲୋମିଟର ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ୨୩୦୬.୬୧ ବର୍ଗ କିଲୋମିଟରରୁ ଅଧିକ । ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳ ୫୫୦୦ ବର୍ଗ କିଲୋମିଟର ରହିଛି । ପ୍ରସ୍ତାବିତ ଜାତୀୟ ଉଦ୍ୟାନ ୮୪୫ ବର୍ଗ କିଲୋମିଟରରୁ ଅଧିକ ଅଟେ । ଶିମିଳିପାଳରୁ ଉତ୍ତର ଓଡ଼ିଶାର ବୁଢ଼ାବଳଙ୍ଗା, ଦେଓ ଆଦି ବୃହତ ନଦୀ ଓ ଅନେକ ଜଳାଶୟ ସୃଷ୍ଟି ହୋଇଛି । ଆଦିବାସୀ ଅଧ୍ୟୁଷିତ ଏହି ସଂଲଗ୍ନ ଅଞ୍ଚଳରେ ସାନ୍ତାଳ, କୋଲ୍ଲ, ବାଥୁଡି, ଭୂମିଜ, ମୁଣ୍ଡା, ବିନ୍ଧାଣୀ ଆଦିବାସୀଙ୍କ ବ୍ୟତୀତ ଖଡିଆ, ମାଙ୍କଡ଼ିଆ, ଲୋଧା ଆଦି ଆଦିବାସୀ ଗୋଷ୍ଠୀ ରହୁଛନ୍ତି । ସେମାନଙ୍କର ଜୀବୀକାର୍ଜନ ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି । ଏହିସବୁ ଅଂଚଳରେ ସେସବୁ କାର୍ଯ୍ୟକ୍ରମ କରାଯାଉଛି । ଏହା ସତ୍ତ୍ୱେ ଏହାକୁ ଅଧିକ ଗୁରୁତର ସହିତ ନେଇ ଅଧିକ କାର୍ଯ୍ୟକ୍ରମ କରିବାକୁ ବିଭାଗର ସମସ୍ତ ସହଯୋଗ ରହିବା ସଂପର୍କରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ କହିଛନ୍ତି ।
ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ ଆଦି ସମସ୍ୟାର ସମାଧାନକୁ ଗୁରୁତ୍ବ ଦେବା ସହ ଜଙ୍ଗଲ ଉପକଣ୍ଠ ଗ୍ରାମଗୁଡ଼ିକ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆଲେ ସଚେତନା କାର୍ଯ୍ୟ କରାଯିବା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାସ୍ତରୀୟ କମିଟି କରାଯାଇ ଏଥି ନିମନ୍ତେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଥିବା ସଂପର୍କରେ ମୟୂରଭଂଜ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟ ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲରେ ନିଆଁ ଲାଗିବା ସମୟରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ରୋକାଯାଇ ପାରିଛି । ମହିଳା ବନ କର୍ମଚାରୀମାନେ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନଙ୍କୁ ଏ ଦିଗରେ ସଚେତନ କରିପାରିବେ । ବେଆଇନ ଶିକାରୀ ଓ ଅନୁପ୍ରବେଶକାରୀଙ୍କ ପ୍ରତି କଡା ନଜର ରଖା ଯାଇଛି । କମ୍ବିଂ ଅପରେସନ ଆରମ୍ଭ ହୋଇଯାଇଥିବା ବାରିପଦା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ, ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ପ୍ରମୁଖ ଲୋକ ସେବା ଭବନରେ ଉପସ୍ଥିତ ଥିଲେ । ପୋଲିସ ଡିଜି ସୁନୀଲ କୁମାର ବଂଶଲ, ମୟୁରଭଂଜ ଜିଲ୍ଲାପାଳ, ଏସପି, ବାରିପଦା ଡିଏଫଓ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଏବଂ ଜାମୁଡା, ରାଇରଙ୍ଗପୁର, କରଂଜିଆ ବିଡ଼ିଓ ଓ ଅନ୍ୟ ବ୍ଲକସ୍ତରୀୟ ଅଧିକାରୀ ଭିସି ଜରିଆରେ ବୈଠକରେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର