ବାରିପଦା: ବିଦ୍ୟାଳୟରେ ପାଠ ପଢିବା ପରିବର୍ତ୍ତେ କାଠ ବୋହୁଛନ୍ତି ଛାତ୍ର । ତାହାପୁଣି ଜନଗହଳି ପୂର୍ଣ୍ଣ ରାସ୍ତା ଏପରିକି ରାଜ୍ୟ ରାଜପଥରେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଷେଇ ନିମନ୍ତେ ତିନିଜଣ ଛାତ୍ର ଦେଢ କିଲୋମିଟର ଦୂର ଜନଗହଳିପୂର୍ଣ୍ଣ ରାସ୍ତାରେ କାଠ ବୋହିବାର ଦୃଶ୍ୟ କଏଦ ହୋଇଛି ଆମ ଇଟିଭି ଭାରତ କ୍ୟାମେରାରେ । ଆଉ ଏହାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ।
ତିନି ଜଣ ଛାତ୍ର ସ୍କୁଲ ଡ୍ରେସରେ ଥାଇ ଏପରି କାମରେ ନିୟୋଜିତ ହୋଇଛନ୍ତି । ଏପରିକି କ୍ୟାମେରା ଦେଖି ଛାତ୍ରମାନେ ମୁଖ୍ୟ ଫାଟକ ଦେଇ ବିଦ୍ୟାଳୟକୁ ନ ପଶି ପଛ ରାସ୍ତ।ରେ ବିଦ୍ୟାଳୟ ଭିତରକୁ ପ୍ରବେଶ କରିଛନ୍ତି । ତାପରେ କାଠ ଗୁଡିକୁ ରୋଷେଇ ଶାଳ ନିକଟରେ ରଖି ଛାତ୍ରମାନେ ଚାଲିଯାଇଛନ୍ତି । ତେବେ କିଏ ତାଙ୍କୁ ପଠାଇଥିଲା ସେ ବାବଦରେ ପିଲାମାନେ କ୍ୟାମେରା ସାମ୍ନାରେ କିଛି କହି ନଥିବା ବେଳେ ଏ ବାବଦରେ ପଚାରି ବୁଝିବାକୁ ଆମେ ପହଞ୍ଚିଥିଲୁ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନିକଟରେ । ହେଲେ ଏହି ଘଟଣାକୁ ଘଟଣାକୁ ଚାପି ଦେବାକୁ କହୁଥିଲେ ବିଦ୍ୟାଳୟର ପିଇଟି ଶିକ୍ଷକ ।
ଆମେ ଘଟଣା ବାବଦରେ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ଚାହିଁଥିବା ବେଳେ ପିଇଟି ଶିକ୍ଷକ ଜୟଚନ୍ଦ୍ର ଜେନା ଆମକୁ ଏହି ଘଟଣା ଚାପି ଦେବାକୁ ତାଗିଦ୍ କରୁଥିଲେ ।
ଅନ୍ୟପଟେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଘଟଣା ବାବଦରେ ଜାଣି ନଥିବା କହୁଥିବା ବେଳେ ଆମ ନିକଟରୁ ଜାଣିବ ପରେ ଏ ଦିଗରେ ତଦନ୍ତ କରିବେ ବୋଲି କହିଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ