ରାଇରଙ୍ଗପୁର: ଆବାସ ଯୋଜନା ନେଇ ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଧନୀକୁ ମିଳୁଛି ଘର ହେଲେ ଗରିବକୁ ନାହିଁ । ଭଙ୍ଗା ରୁଜା ଘରେ ପଲିଥିନ ଟଣା ଘରେ ରହି ଦହଗଞ୍ଜ ହେଉଛି ଗରିବ । ହେଲେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ । ଅଯୋଗ୍ୟଙ୍କ ନା ଲିଷ୍ଟରେ ରହିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଖଣ୍ଡିଏ ବାସଗୃହ । ଏନେଇ ରାଇରଙ୍ଗପୁର ବ୍ଳକ ଭାଲୁବସା ପଞ୍ଚାୟତର ନାଗଭଣ ଗ୍ରାମର ବହୁ ହିତାଧିକାରୀ ଘର ଖଣ୍ଡିଏ ପାଇବା ପାଇଁ ଚାହିଁ ବସିଥିଲେ । ହେଲେ ତାଲିକାରେ ସେମାନଙ୍କ ନାଁ ନାହିଁ । ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଥିବା ଏବଂ ଯୋଗ୍ୟ ହିତାଧିକାରୀ ବାଦ ପଡିଥିବା ଅଭିଯୋଗ ହୋଇଛି ।
ଗାଁର ବହୁ ଅସହାୟ ରହିଛନ୍ତି । ସେମାନଙ୍କ ନାଁ ଅଛି ଘର ନା ପରିବାର । କିଛି ଲୋକ ମଜୁରୀ ଲାଗିଲେ ଘରେ ତାଙ୍କର ଚୁଲି ଜଳୁଛି । ଗାଁର ଆଉ କିଛି ଲୋକ ବି ରହିଛନ୍ତି ଫନି ବାତ୍ୟାରେ ଘରଦ୍ୱାର ସବୁ ହରାଇଛନ୍ତି । ସମସ୍ତଙ୍କ ମନରେ ସେହି ଗୋଟିଏ ଆଶା । ଘର ତାଲିକାରେ ତାଙ୍କ ନାଁ ଆସିବ । ହେଲେ ତାଲିକା ବାହାରିଲା ସତ କିନ୍ତୁ ସେଥିରେ ରହିଛି ଅଯୋଗ୍ୟ ହିତାଧିକାରୀଙ୍କ ନାଁ । ଯାହା ନିରାଶ କରିଛି ଏହି ଯୋଗ୍ୟ ହିତାଧିକାରୀ ମାନଙ୍କୁ ।
କହିବାକୁ ଗଲେ ଅଭିଶପ୍ତ ଜୀଵନ ବିତାଉଛନ୍ତି ନାଗଭଣ ବାସିନ୍ଦା । ଦୀର୍ଘ ଆଠ ବର୍ଷ ହେବ ଟିପି ଅଞ୍ଚଳ ଯୋଗୁଁ ଏସଇସିସି ତାଲିକାରୁ ବାଦ ପଡି ସରକାରୀ ସୁବିଧାରୁ ବଞ୍ଚିତ ଥିଲେ ଏଠାକାର ଲୋକେ । ଆଉ ଯେତେବେଳ ବହୁ ସଂଘର୍ଷ ପରେ ଟାଉନ ପ୍ଲାନିଂରୁ ହଟି ପଞ୍ଚାୟତରେ ଯୋଡି ହେଲା ନାଗଭଣ ବାସୀଙ୍କ ନାମ ଦୀର୍ଘ ଆଠ ବର୍ଷ ପରେ ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ପଡିଛି । କାଗଜପତ୍ର ନିରୀକ୍ଷଣ ସରିବା ପରେ ତାଲିକାରେ ସଂଯୋଗ ହୋଇଥିବା 91ଜଣ ଯୋଗ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ବାଦ ପଡିଥିବା ବେଳେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପଞ୍ଚାୟତର VLW ଓ ବ୍ଳକ କର୍ମଚାରୀ ଉଦ୍ଦେଶ୍ୟ ମୂଳକ ଭାବେ ମୁସଲିମ ସାମ୍ପ୍ରଦାୟର ଲୋକଙ୍କ ନାମ ବାଦ କରିଥିବା ଅଭିଯୋଗ ଆଣି ତଦନ୍ତ ସହ ସେମାନଙ୍କ ବଦଳି ଦାବି ନେଇ ବ୍ଳକ ଘେରାଓ କରିଥିଲେ ଗ୍ରାମବାସୀ । ଅତିଶୀଘ୍ର ବାଦ ପଡ଼ିଥିବା ଓ ବାସହରା ଲୋକଙ୍କ ନାମ ତାଲିକାରେ ପ୍ରକାଶ ନ ପାଇଲେ ପଞ୍ଚାୟତ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି । ଏନେଇ ଅସନ୍ତୋଷ ହିତାଧିକାରୀ ମାନେ ରାଇରଙ୍ଗପୁର ବ୍ଳକ ବିଡ଼ିଓ, ବାମନଘାଟି ଉପଜିଲ୍ଲାପାଳ ଓ ରାଇରଙ୍ଗପୁର ଟାଉନ ଥାନା ଆଇଆଇଆସିଙ୍କୁ ଏକ ଲିଖିତ ଦାବିପତ୍ର ଦେଇଥିବା ସୂଚନା ରହିଛି ।
ଇଟିଭି ଭାରତ, ରାଇରଙ୍ଗପୁର