ରାଇରଙ୍ଗପୁର: କରଞ୍ଜିଆ ଥାନା ପୋଲିସକୁ ସଫଳତା । ରାଇରଙ୍ଗପୁରରେ ଏକ ବଡ ଧରଣର ଡକାୟତି ଯୋଜନା ପଣ୍ଡ କଲା ପୋଲିସ । ୪ ଜଣ ଡକାୟତ ଗିରଫ । ଏଥିସହ ବନ୍ଧୁକ ସହ ମାରଣାସ୍ତ୍ର ଜବତ ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ କରଞ୍ଜିଆ ଥାନା ପୋଲିସ ପେଟ୍ରୋଲିଂ କରୁଥିଲା । ସେହି ସମୟରେ କରଞ୍ଜିଆ ଜଶିପୁର ରାସ୍ତାର ବାଉନାଶାଳ ଗ୍ରାମ ନିକଟରେ ଥିବା ଏକ ଶାଳ ଜଙ୍ଗଲରୁ ୪ ଜଣ ଯୁବକଙ୍କୁ ବିଭିନ୍ନ ମାରଣାସ୍ତ୍ର ସହିତ ଗିରଫ କରିଛି କରଞ୍ଜିଆ ପୋଲିସ । ଉକ୍ତ ଡକାୟତ ଗ୍ୟାଙ୍ଗ ଏକ ବଡ଼ ଡକାୟତି ପ୍ଲାନ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଥାନା ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ଚଢାଉ କରି ୪ ଜଣ ଡକାୟତଙ୍କୁ ଗିରଫ ବେଳେ ସେଠାରେ ଥିବା ଅନ୍ୟ ୨ ଜଣ ଡକାୟତ ଫେରାର ହୋଇ ଯାଇଥିବା ଜଣାପଡିଛି ।
ସେହିପରି ସେମାନଙ୍କ ନିକଟରୁ ଗୋଟିଏ ବଜାଜ ପଲସର ବାଇକ, ୨ଟି କଟୁରି ସହ ଦୁଇଟି ମୋବାଇଲ ଫୋନ ଜବତ କରିଛି କରଞ୍ଜିଆ ଥାନା ପୋଲିସ । ତେବେ ଘଟଣାକୁ ନେଇ ପୋଲିସ କେସ୍ ନଂ ୨୪୬/୨୦୨୩ ରେ ଏକ ଡକାୟତି ଉଦ୍ୟମ ମାମଲା ରୁଜ୍ଜୁ କରି ସମସ୍ତଙ୍କୁ ବର୍ତ୍ତମାନ ପଚରାଉଚରା ଜାରି ରଖିଛି । ସେହିପରି ଅଧିକ ତଦନ୍ତ ପରେ ହିଁ ଡକାୟତି ଉଦ୍ୟମ ଘଟଣାର ପର୍ଦ୍ଦାଫାସ ହୋଇ ପାରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ କରଞ୍ଜିଆ ଏବଂ ଆଖପାଖ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ୨୦ରୁ ଅଧିକ ଜାଗାରେ ଚୋରି ହୋଇଥିବା ବେଳେ ବର୍ତ୍ତମାନ କରଞ୍ଜିଆ ପୋଲିସ ସକ୍ରିୟ ରହି ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି । ସେହିପରି ରାଇରଙ୍ଗପୁର ଉପଖଣ୍ଡରେ ମଧ୍ୟ ଚୋରି, ଲୁଟ, ଛିନତାଇ, ଡକାୟତି ଆଦି ଘଟଣା ସବୁ ଘଟୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସର ହାତ ଖାଲି ରହିଛି। ପୋଲିସକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ ଘଟଣା ଘଟାଉଥିବା ବେଳେ ଗୋଟିଏ ବି ଅପରାଧିକୁ ଧରିବାକୁ ପୋଲିସ ସକ୍ଷମ ହୋଇ ପାରିନାହିଁ।
ଏହା ମଧ୍ୟ ପଢନ୍ତୁ- ଫେଲମାରିଲା ଡକାୟତି ଉଦ୍ୟମ, ପୋଲିସ ପଞ୍ଝାରେ ପାଞ୍ଚଜଣ ପେଶାଦାର ଡ଼କାୟତ
ସେହିପରି ନିକଟରେ ବଲାଙ୍ଗୀରରେ ବଡ଼ ଡ଼କାୟତି ଯୋଜନା ପଣ୍ଡ କରିବା ସହ ପାଞ୍ଚ ଜଣ ପେଶାଦାର ଡକାୟତଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସର ସ୍ବତନ୍ତ୍ର ଟିମ୍ । ଏମାନେ ପୂର୍ବରୁ ଜିଲ୍ଲା ଓ ଜିଲ୍ଲା ବାହାରେ ଅନେକ ବଡ଼ ଡ଼କାୟତି ମାମଲାରେ ଜଡିତ ଥିଲେ । ସେହିପରି ଟିଟିଲାଗଡରୁ 6 ଜଣ ଡକାୟତକୁ ଗିରଫ କରିଥିଲା ଟିଟଲାଗଡ ପୋଲିସ । ଏହାସହ ସେମାନଙ୍କ ନିକଟରୁ ବନ୍ଧୁକ ସହ ମାରଣାସ୍ତ୍ର ଜବତ କରିଥିଲା । ପୂର୍ବରୁ ଅନେକ ମାମଲାରେ ଏହି 6 ଜଣ ଅପରାଧୀ ଥିଲେ ଜଡ଼ିତ ଥିବା ଟିଟିଲାଗଡ ଏସଡ଼ିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଥିଲେ । ତେବେ ସଇଁନ୍ତଳା ଥାନା ବିବିନା ମଦଭାଟିରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଅପରାଧୀଙ୍କ ଯୋଜନା ପଣ୍ଡ କରିଥିଲେ ପୋଲିସ ।
ଇଟିଭି ଭାରତ, ରାଇରଙ୍ଗପୁର