ରାଇରଙ୍ଗପୁର: ମୟୂରଭଞ୍ଜ ରାଇରଙ୍ଗପୁର ଉପ କାରାଗାରର ବିଚାରାଧୀନ କଏଦୀ ମୃତ । ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ତେବେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି । ହନୁମାନ ମୁଦ୍ରା କାରବାରରେ ସମ୍ପୃକ୍ତ ଥିବା ୩ ଜଣିକିଆ ଗ୍ୟାଙ୍ଗ ମଧ୍ୟରେ ଥିଲେ ଏହି ମୃତ କଏଦୀ । ଏମାନେ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି ।
ମୃତ କଏଦୀ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଜଟାଗ୍ରାମର ଗୋବିନ୍ଦ ବିନ୍ଧାଣି । ହନୁମାନ ମୁଦ୍ରା କାରବାରରେ ସମ୍ପୃକ୍ତ ଥିବା ୩ ଜଣିକିଆ ଗ୍ୟାଙ୍ଗକୁ ପୋଲିସ ଗିରଫ କରି ଗତ ୩ ଜାନୁଆରୀ ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲା । ଉକ୍ତ ଗ୍ୟାଙ୍ଗ ତିରିଂ ଥାନା ଅଧୀନସ୍ଥ ବିଭିନ୍ନ ଅଞ୍ଚଳର ଲୋକଙ୍କଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକିଥିଲେ। ହନୁମାନ ମୁଦ୍ରା ବଜାରରେ ଲକ୍ଷାଧିକ ଟଙ୍କାରେ ବିକ୍ରି ହେବାର ପ୍ରଲୋଭନ ଦେଖାଇବା ସହିତ ମୋଟା ଅଙ୍କର ଟଙ୍କା ନେଇ ୨-୩ ବର୍ଷ ମଧ୍ୟରେ ୨ ଗୁଣ ଟଙ୍କା ଦେବାର ପ୍ରତିଶୃତି ଦେଇ ସାଦାସିଧା ଲୋକଙ୍କୁ ଲୋଭ ଦେଖାଇ ଠକି ଆସୁଥିଲେ ।
ଲୋକଙ୍କ ସରଳତାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କା ଠକି ନେଇ ଯାଉଥିଲେ ଏହି ଗ୍ୟାଙ୍ଗ । ଅଭିଯୋଗ ପାଇବା ପରେ, ତିରିଂ ଥାନା ମାକିଡିଘାଟି ଅଞ୍ଚଳରେ ଏହି ଗ୍ୟାଙ୍ଗ ହନୁମାନ ପଇସା କାରବାର କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ତିରିଂ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ଚଢ଼ାଉ କରି ତିରିଂ ଥାନା ଅନ୍ତର୍ଗତ ଜଟା ଗ୍ରାମର ଗୋବିନ୍ଦ ବିନ୍ଧାଣି, ଦାମାଡିହି ଗ୍ରାମର ପ୍ରତାପ ସିଂ ଓ ସାନନାରାୟଣୀ ଗ୍ରାମର ମଙ୍ଗଲ ବାରି ନାମକ ୩ ଜଣ ଠକକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ସେମାନଙ୍କ ନିକଟରୁ ୫ଟି ତମ୍ବା ମୁଦ୍ରା, ୩ଟି ମୋବାଇଲ ଫୋନ ଓ ଗୋଟିଏ କାର ଜବତ କରାଯାଇଥିଲା ।
ଏହା ବି ପଢନ୍ତୁ- ଦନ୍ତା ଆକ୍ରମଣରେ ଦୁଇ ମୃତ
ତେବେ ଗତ ୩ ଜାନୁଆରୀ ୩ ଜଣ ଠକଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥଲା । ସେହି ଦିନଠାରୁ ଗୋବିନ୍ଦ ବିନ୍ଧାଣି ବିଚାରାଧୀନ କଏଦୀ ଭାବେ ରାଇରଙ୍ଗପୁର ଉପ କାରାଗାରରେ ବନ୍ଦୀ ଜୀବନ ବିତାଉଥିଲେ। ତେବେ ଗତକାଲି ଦିନ ୧୦ ଟା ପାଖାପାଖି ଗୋବିନ୍ଦଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ଜେଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ନେଇ ଆସି ସେଠାରେ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲିଥିବା ସମୟରେ ଗତକାଲି ଦିନ ପାଖାପାଖି ୧.୩୦ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଜେଲ କର୍ତ୍ତୃପକ୍ଷ ମୃତକଙ୍କ ପରିବାରକୁ ଖବର ଦେଇ ରାଇରଙ୍ଗପୁର ଟାଉନ ଥାନା ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ । ଆଜି ରାଇରଙ୍ଗପୁର ଟାଉନ ଥାନା ପୋଲିସ ଓ ବାରିପଦାରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିଲେ ଏବଂ ମାଜିଷ୍ଟ୍ରେଟ ଭାବେ ରାଇରଙ୍ଗପୁର ସହକାରୀ ଜିଲ୍ଲାପାଳ ଶକୁନ୍ତଳା ହାଁସଦା ଉପସ୍ଥିତ ରହି ସମସ୍ତଙ୍କ ବୟାନ ରେକର୍ଡ କରିଥିଲେ। ପରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ମୃତକଙ୍କ ପରିବାର ଲୋକଙ୍କୁ ଆଜି ମୃତଦେହ ହସ୍ତାନ୍ତର କରାଯାଇଛି। ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ।
ଇଟିଭି ଭାରତ, ରାଇରଙ୍ଗପୁର