ରାଇରଙ୍ଗପୁର: ଦୁର୍ନୀତିର ଗନ୍ତାଘର ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ । କେତେବେଳେ ଚାରା ରୋପଣରେ କୋଟି କୋଟି ଟଙ୍କାର ଘୋଟଲା ତ ଆଉ କେତେବେଳେ ରବର ପ୍ରକଳ୍ପ ନାମରେ ଚଳୁ ହୋଇଛି ଟଙ୍କା । ଆଉ ଏବେ ସାମ୍ନାକୁ ଆସିଛି ମନରେଗା ପ୍ରକଳ୍ପରେ ଦୁର୍ନୀତି । ମନରେଗା ଯୋଜନା ନାଁରେ ହରିଲୁଟ ହୋଇଛି କୋଟି କୋଟି ଟଙ୍କା । ଯାହାର ଖବର ସାମ୍ନାକୁ ଆସିବା ପରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ଯଶିପୁର ବ୍ଲକର ବରେହିପାଣି, ଗୁଡୁଗୁଡ଼ିଆ, ଅସ୍ତକୁଅଁର, ଧଳାବଣୀ ଗ୍ରାମପଞ୍ଚାୟତରେ ମନରେଗାରେ କୋଟି କୋଟି ଟଙ୍କା ହରିଲୁଟ କରି ଆତ୍ମସାତ ଅଭିଯୋଗ ହୋଇଛି । ଫଳରେ ୧୦ଜଣ ସରକାରୀ ଅଫିସର ଓ ୩ ଜଣ ସରପଞ୍ଚ ସମେତ ୧୩ ଜଣ ନାମରେ ମାମଲା ରୁଜୁ ପାଇଁ ଯଶିପୁର ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏହାର ସୁଯୋଗ ନେଇ ବିଭିନ୍ନ ସମୟରେ ପ୍ରକଳ୍ପ ନାମରେ କୋଟି ଟଙ୍କାର ଦୁର୍ନୀତି କିଛି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ କରିଥିବା ଭଳି ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଛି । ଉକ୍ତ ଗ୍ରାମପଞ୍ଚାୟତଙ୍କରେ ଚେକ ଡ୍ୟାମ, କୋଲଭର୍ଟ ଏବଂ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଛି । ପରେ ଜିଲ୍ଲା ପ୍ରଶାସନର ତଦନ୍ତରେ ଏସବୁ ପ୍ରକଳ୍ପରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜାଣି କିଛି ଜନ ପ୍ରତିନିଧି ସମେତ ବ୍ଳକ କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ଗତ ୧୭ ତାରିଖରେ ଏକ ନିର୍ଦ୍ଦେଶ ଆସିଛି ଯଶିପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀଙ୍କ ପାଖକୁ ।
ଯଶିପୁର ବ୍ଲକର ୪ଟି ଗ୍ରାମପଞ୍ଚାୟତରେ ପ୍ରକଳ୍ପ ଗୁଡିକ ହୋଇଛି ନାମକୁ ମାତ୍ର, ଆଉ କିଛି ସ୍ଥାନରେ ଅତି ନିମ୍ନ ମାନର କାମ ହୋଇଥିବା ବେଳେ କେତେକ ସ୍ଥାନରେ କାମ ସମ୍ପୂର୍ଣ୍ଣ ନହେବା ପୂର୍ବରୁ ଟଙ୍କା ଉଠା ସରିଥିବା ଅଭିଯୋଗ ହୋଇଛି । ବହୁ ସ୍ଥାନରେ ନାମଫଳକ କିମ୍ବା ପ୍ରକଳ୍ପ ହୋଇଥିବା କାଗଜ ପତ୍ରରେ ଉଲ୍ଲେଖ ଅଛି ହେଲେ କୌଣସି ସ୍ଥାନରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ସମ୍ପୂର୍ଣ୍ଣ ବିଲ ପୈଠ ହୋଇଥିବା ଜଣାପଡିଛି । ପରେ ଏ ସମ୍ପର୍କରେ ଜଣାପଡିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ଖୋଡତାଳ ଆରମ୍ଭ ହୋଇଥିଲା । ହେଲେ ଆଜିକୁ ୪ରୁ୫ ମାସ ବିତି ଯାଇଥିଲେ ମଧ୍ୟ ଭିଜିଲାନ୍ସ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ଉଠିଥିଲା ପ୍ରଶ୍ନ ।
ଆଉ ଏହାପରେ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି କରିବା ସହିତ ତାଙ୍କ ସ୍ଥାନରେ ନୂତନ କର୍ମଚାରୀ ନିଯୁକ୍ତ କରିଥିଲା । ଆଉ ଦୁର୍ନୀତି ସମ୍ପର୍କରେ ଖୋଡତାଳ କରିବା ପରିବର୍ତ୍ତେ ଦୁର୍ନୀତିକୁ ଲୁଚାଇବା ପ୍ରୟାସ କରିଥିଲେ ଯଶିପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୋଲି ଅଭିଯୋଗ ହୋଇଛି । ସେହିପରି ଗତ ୧୭ ତାରିଖ ପାଖରୁ ଦୁର୍ନୀତି କରିଥିବା କର୍ମଚାରୀ ଏବଂ PRI ମେମ୍ବର ମାନଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ବି ଆଜି ପର୍ଯ୍ୟନ୍ତ ଅଭିଯୋଗ ନ ଦେବା ଗୋଷ୍ଠି ଉନ୍ନୟନ ଅଧିକାରିଣୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଉଠିଛି ପ୍ରଶ୍ନ । ତେବେ ଏତେ ସବୁ ଘଟଣା ପରେ ପ୍ରକଳ୍ପ ନିର୍ଦ୍ଦେଶଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବା ପାଇଁ ସିଧା ସିଧା ମନା କରି ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ