ରାଇରଙ୍ଗପୁର : ଗଣମାଧ୍ୟମ ପ୍ରତିନିଧି ଓ କଲେଜ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଠେଲାପେଲା ଓ ମାରପିଟ୍ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଧୀନରେ ଥିବା ଲୋକନାଥପୁରର ଅମରାବତୀ ପୋଲି ଟେକନିକ୍ କଲେଜରେ ।
ସୂଚନା ଅନୁଯାୟୀ, ଖବର ସଂଗ୍ରହ କରିବା ପାଇଁ ତିନି ଜଣ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ଓ ଜଣେ କ୍ୟାମେରାମ୍ୟାନ୍ ଉକ୍ତ କଲେଜକୁ ଯାଇଥିଲେ। ତେବେ ସେଠାରେ କୌଣସି କାରଣରୁ କଲେଜ କର୍ତ୍ତୁପକ୍ଷ ଓ ବୈଦୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଠେଲାପେଲା, ମାରପିଟ୍, ଟଣାଓଟରା, ହତ୍ୟା ଧମକ, ଗାଳିଗୁଲଜ ହୋଇଥିଲା । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କ ବୁମ୍ ଛଡେଇ ନେଇ ଭାଙ୍ଗି ଦେବା ଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।
କଲେଜ କର୍ତ୍ତୁପକ୍ଷ କମଳେନ୍ଦୁ ମହାନ୍ତଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ବୈଦୁତିକ ଗଣମାଧ୍ୟମ ପ୍ରତିନିଧିମାନେ ପରିକ୍ଷା ଚାଲୁଥିବା ସମୟରେ ନିଜ ପରିଚୟ ନଦେଇ ପରୀକ୍ଷା ହଲ୍ରେ ପଶିବା ସହ ଭିଡିଓ ସୁଟିଂ କରିଥିଲେ । ସେମାନଙ୍କୁ ଏନେଇ ପଚାରିବାରୁ ସେମାନେ କଲେଜ କର୍ତ୍ତୁପକ୍ଷଙ୍କୁ ଟଣାଓଟରା, ଗାଳିଗୁଲଜ, ଧକ୍କା ମାରିବା ସହ ଧମକଚମକ ଦେଇଥିଲେ । ଏନେଇ ବହଳଦା ଥାନାରେ ତିନି ଜଣ ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି କଲେଜ କର୍ତ୍ତୁପକ୍ଷ ।
ଅନ୍ୟପଟେ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ ପାଇଁ କଲେଜ ଯାଇଥିବା ବେଳେ କଲେଜ କର୍ତ୍ତୁପକ୍ଷ ସେମାନଙ୍କୁ ଧକ୍କା, ମାରପିଟ୍ ଧମକଚମକ ଓ ବୁମ୍ ଭାଙ୍ଗି ଦେବା ନେଇ ବହଳଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବହଳଦା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ ବହଳଦା ଥାନା ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ