ରାଇରଙ୍ଗପୁର: ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ପାଞ୍ଚଦିନ ସଟଡାଉନ ହେଲା ବିଶୋଇ ଗ୍ରାମପଞ୍ଚାୟତ । ବିଗତ ୧୫ ରୁ ୨୦ ଦିନ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅଞ୍ଚଳରେ 10 କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶୁକ୍ରବାର ପୁଣି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା 2 ଆକ୍ରାନ୍ତଙ୍କ ପାଇଁ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ସୂଚନା ଅନୁଯାୟୀ ଜଣେ ବିଶୋଇ ବ୍ଲକର ଜଣେ ଷ୍ଟାଫ୍ ଏବଂ ଅନ୍ୟ ଜଣେ ପ୍ରଶାସନିକ ଅଧିକାରୀ କୋରୋନା ପଜିଟିଭ ହୋଇଥିବା ବିଶୋଇ ବ୍ଲକ୍ ବିଡିଓ ସୂଚନା ଦେଇଛନ୍ତି । ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ବିଶୋଇ ଗ୍ରାମପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଛି । ବିଶୋଇ ଗ୍ରାମପଞ୍ଚାୟତ ଅଧିନସ୍ଥ ସମସ୍ତ ଅଞ୍ଚଳକୁ ଆଜି ଶୁକ୍ରବାର ସକାଳ ୬.୦୦ ସମୟ ଠାରୁ ମଙ୍ଗଳବାର ସନ୍ଧ୍ୟା ୫.୦୦ ସମୟ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି । ଏହା ସହିତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ସ୍ଥାନୀୟ ପ୍ରଶାସନ ।
ଅତ୍ୟାବଶ୍ୟକୀୟ ସାମଗ୍ରୀ ସେବା ଛାଡି ଅନ୍ୟ ସମସ୍ତ ଦୋକାନ ବଜାର, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ସେପଟେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ସାନିଟାଇଜ କରାଯାଇଛି । ସଟଡାଉନକୁ ନଜରରେ ରଖି ବିଶୋଇ ପୋଲିସ ମଧ୍ୟ ପେଟ୍ରୋଲିଂକୁ କଡାକଡି କରିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ