ବାରିପଦା: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିପର୍ଯ୍ୟୟ ସୁନିଶ୍ଚିତ ବୋଲି ବୁଝିଛି ବିଜେପି । ଆଉ ସେଥିପାଇଁ ଚିହିକି ଉଠିଛି । ମନେ ପଡିଛି ଚାଉଳ, ଡାଲି ଓ ଲୁଣ କଥା । 5 ବର୍ଷ ପରେ ବିଜେପିର ଏସବୁ କଥା ମନେ ପଡିଛି । ଏଯାଏଁ ଏହି ଦଳ କ’ଣ କରୁଥିଲା ବୋଲି ଧର୍ମେନ୍ଦ୍ରଙ୍କ ଘୋଷଣାକୁ କାଉଣ୍ଟର କରିବାକୁ ଯାଇଁ ଉପରୋକ୍ତ ପ୍ରଶ୍ନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ବୁଧବାର ମୟୂରଭଞ୍ଜ ଠାକରମୁଣ୍ଡା ସମାବେଶରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ। କରଞ୍ଜିଆ ବିଧାନସଭା ଆସନ ପ୍ରାର୍ଥୀନି ବାସନ୍ତୀ ହେମ୍ବ୍ରମ ଓ କେନ୍ଦୁଝର ଲୋକସଭା ପ୍ରାର୍ଥୀନି ଚନ୍ଦ୍ରାଣୀ ମୂର୍ମୁଙ୍କ ପାଇଁ ମୁଖ୍ଯମନ୍ତ୍ରୀ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ସମୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ନବୀନ ପଟ୍ଟନାୟକ । ଏହି ସମାବେଶରେ କେନ୍ଦ୍ରକୁ ଜୋରଦାର ଢଙ୍ଗରେ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ।
‘କାଳିଆ’କୁ କେହି ବନ୍ଦ କରିପାରିବେ ନାହିଁ । ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସେବା କରିବି। ମୁଁ ଆପଣଙ୍କ ପାଖକୁ ଆସିଛି। ଆପଣମାନେ ଖୁସି ତ ? ପୁରୁଣା ଅନ୍ଦାଜରେ ଏଭଳି କିଛି ମୟୂରଭଞ୍ଜବାସୀଙ୍କ ଆଗରେ ବକ୍ତବ୍ୟ ରଖିଥିଲେ ନବୀନ। ଗ୍ୟାସ ଓ ପେଟ୍ରୋଲ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା ମଧ୍ୟ କରିଥିଲେ ନବୀନ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ