ରାଇରଙ୍ଗପୁ: ଶିମିଳିପାଳ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ । ଯାହାର ଏକ ଭିଡିଓ ଉତ୍ତୋଳନ କରିଛି ବନବିଭାଗ । ଦକ୍ଷିଣ ଶିମିଳିପାଳ ଜୋନର ଶିଶିର ବେହେରା ନାମକ ଜଣେ ରେଞ୍ଜର ପାଟ୍ରୋଲିଂ କରୁଥିବା ବେଳେ ମହାବଳ ବାଘଟି ବିଚରଣ କରୁଥିବା ଦେଖିବାକୁ ପାଇଥିଲେ । ତେବେ ଏହି ସମୟର ଭିଡିଓକୁ ଫୋନରେ ଉତ୍ତୋଳନ କରିଥିଲେ । ଯାହାକୁ ବନବିଭାଗ ଏବେ ସୋସିଆଲ ମିଡ଼ିଆରେ ସେୟାର କରିଛି ।
ତେବେ ଦୁଇ ବର୍ଷ ତଳେ ଗୋଟିଏ ମହାବଳ ବାଘୁଣୀ ଚାରୋଟି ବାଘ ଶାବକକୁ ଜନ୍ମ ଦେଇଥିଲା । ସେହି ଚାରୋଟି ଛୁଆ ମଧ୍ୟରୁ ଏହି ମହାବଳ ବାଘଟି ଗୋଟିଏ ବୋଲି ବନବିଭାଗ ପକ୍ଷରୁ ଜଣାପଡିଛି । ତେବେ ଶିମିଳିପାଳ ବ୍ୟାଘ୍ର ଗଣନା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ୨୦ଟି ମହାବଳ ବାଘ ରହିଥିବାର ଜଣାଯାଇଛି । ପୂର୍ବରୁ ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଅବାଧ ଭାବରେ ପ୍ରବେଶ କରି ବନ୍ୟଜନ୍ତୁ ଶିକାର କରିବା ସହିତ ଦୁଇ ଜଣ ବନ କର୍ମଚାରୀଙ୍କୁ ଗୁଳିମାଡ଼ କରି ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲେ । ଜଙ୍ଗଲ ମାଫିଆମାନେ ହାତୀ ଶିକାର କରି ଦାନ୍ତ କାଟି ନେଇ ଯାଉଥିବା ବେଳେ ପୁଣି କେବେ ବାଘ, ହରିଣ ଶିକାର କରି ସେମାନଙ୍କ ଛାଲ ନେଇ ଖସି ପଳାଇ ଯାଉଥିଲେ । ଏହାକୁ ରୋକିବା ପାଇଁ ମୟୂରଭଞ୍ଜ ପୋଲିସ ଓ ବନବିଭାଗ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟ ଓ ଏହାର ପାଦଦେଶ ଗୁଡିକରେ କୁମ୍ବିଂ ଅପରେସନକୁ ଜୋରଦାର କରି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ସହିତ ବହୁ ଜଙ୍ଗଲ ମାଫିଆ ଓ ଶିକାରୀମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଫଳରେ ଏବେ ଅଭୟାରଣ୍ୟରେ ବେଧଡ଼କ ଶିକାର କରିବା ବନ୍ଦ ରହିଛି । ଯାହାଦ୍ବାରା ବନ୍ୟଜନ୍ତୁ ଗୁଡ଼ିକ ନିର୍ଭୟରେ ବୁଲିପାରୁଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ...ଶିମିଳିପାଳ ଅଭୟାରଣ୍ୟରୁ 2 ଦେଶୀ ବନ୍ଧୁକ ଜବତ
ସେପଟେ ବର୍ଷା ଋତୁ ସରି ଆସୁଥିବା ବେଳେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ । ଆସନ୍ତା ୧୪ ଅକ୍ଟୋବର ଶନିବାର ଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି । ତେବେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ଯଶିପୁର ସ୍ଥିତ କାଳିଆଣୀ ଗେଟରୁ ପ୍ରତ୍ୟେକ ଦିନ ୩୫ ଟି ଗାଡି ଏବଂ ବାରିପଦା ସ୍ଥିତ ପିଠାବଟା ଗେଟରୁ ୨୫ଟି ଗାଡି ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବ ବୋଲି ବନବିଭାଗ ପକ୍ଷରୁ ସ୍ଥିର କରାଯାଇଛି । ଉକ୍ତ ଦୁଇଟି ଗେଟରେ ସକାଳ ୬.୦୦ ରୁ ୯.୦୦ ପର୍ଯ୍ୟନ୍ତ ତିନି ଘଣ୍ଟା ପାଇଁ ବୁକିଂ କାଉଣ୍ଟର ଖୋଲା ରହିବ । ପର୍ଯ୍ୟଟକ ମାନେ ବୁକିଂ କାଉଣ୍ଟରରୁ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ଧାର୍ଯ୍ୟ ଶୁଳ୍କ ଦେଇ ଅନୁମତି ପତ୍ର ପାଇ ପାରିବେ ।
ଇଟିଭି ଭାରତ, ରାଇରଙ୍ଗପୁର