ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ଆଦିବାସୀ ଆଧ୍ୟୁଷିତ ଗାଁ ମାନବୀର । ଏହି ଗ୍ରାମରେ ବାସ କରୁଛନ୍ତି ଜଣେ ଧର୍ମପରାୟଣ ବ୍ରହ୍ମଚାରିଣୀ । ଯିଏକି ଶିକ୍ଷା ଠାରୁ ଅନତି ଦୂରରେ, କିନ୍ତୁ ତାଙ୍କ ମୁହଁରୁ ବାହାରୁଛି ଅନର୍ଗଳ ଶ୍ଲୋକ ଓ ଆଧ୍ୟାତ୍ମିକ ସଙ୍ଗୀତ । ବୟସର ଅପରାହ୍ନରେ ଈଶ୍ବର ସାଧାନରେ ବ୍ରତୀ ହୋଇଛନ୍ତି ସେ । ଦୁଇ ପାଦ ଚାଲିବା ପାଇଁ ଆଶା ବାଡିର ସାହାର ଲୋଡୁଥିଲେ ବି ଦିନରାତି ଦେବାଦେବୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଏପରିକି ଦୀର୍ଘ ୩୪ ବର୍ଷ ହେଲା ସେ ରାନ୍ଧା ଖାଦ୍ୟ କି ଅନ୍ନ କଣ ଜାଣନ୍ତି ନାହିଁ । କେବଳ କଞ୍ଚାକ୍ଷୀର ଏବଂ ଫଳମୂଳ ଖାଇ ବିତାଉଛନ୍ତି ଜୀବନ । ସମର୍ପଣ ଓ ଅଗାଢ ଭକ୍ତିର ଏହି ମୂର୍ତ୍ତିମନ୍ତ୍ର ପ୍ରତୀକ ହେଉଛନ୍ତି ଫୁଲମଣୀ ବାଗେ ।
ଦୀର୍ଘ ୩୪ ବର୍ଷ ପୂର୍ବେ ଫୁଲମଣିଙ୍କ ଦେହ ଅସୁସ୍ଥ ହୋଇଥିଲା । ସେତେବେଳେ ଯେତେ ଚିକିତ୍ସା କରାଇଲେ ମଧ୍ୟ ସେ ଠିକ୍ ହେଉନଥିଲେ । ସେହି ସମୟରେ ଭଗବାନ ଶିବ ଫୁଲମଣିଙ୍କୁ ସ୍ବପ୍ନାଦେଶ କରି କହିଥିଲେ କି ରନ୍ଧା ଖାଦ୍ୟ ଛାଡି ଫଳମୂଳ ଖାଇ ତାଙ୍କ ସେବା କରିବାକୁ । ସେ ମଧ୍ୟ ପରବ୍ରହ୍ମଙ୍କ ପାଖରେ ନିଜକୁ ସମର୍ପଣ କରିଦେଇଥିଲେ ଏବଂ ପରେ ନୂଆ ଜୀବନ ମଧ୍ୟ ଲଭିଥିଲେ । ଆଉ ସେହିଦିନଠୁ ହିଁ ଆରମ୍ଭ ହୋଇଥିଲା ଏହି ଆଦିବାସୀ ବୃଦ୍ଧାଙ୍କ ବ୍ରହ୍ମଚାରିଣୀ ଜୀବନ । ଦୀର୍ଘ ବର୍ଷ ହେଲା ସେ ଅନ୍ନ ଓ ରନ୍ଧା ଖାଦ୍ୟ ଆହାର ତ୍ୟାଗ କରିଛନ୍ତି । ଆମ୍ବ, ପଣସ, ପିଜୁଳି, କୋଳି ଆଦି ଯେତେବେଳେ ଯାହା ପାଆନ୍ତି ସେସବୁ ଖାଇ ବଞ୍ଚୁଛନ୍ତି । ଫୁଲମଣି ଲୋଭ , ମୋହ ,ମାୟା ,କ୍ରୋଧ ଅହଂକାର ସବୁକୁ ପଛରେ ପକାଇ ନିଜ ଜୀବନକୁ ଠାକୁରଙ୍କ ନିକଟରେ ଉତ୍ସର୍ଗ କରିଦେଇଛନ୍ତି ।
ବ୍ରହ୍ମଚାରିଣୀ ଫୁଲମଣି ତାଙ୍କ ଛୋଟ କୁଡ଼ିଆ ଘରେ ଶିବଲିଙ୍ଗ, ମା କିଚକେଶ୍ୱରୀ ଓ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ବର୍ଷ ବର୍ଷ ଧରି ପୂଜା କରି ଆସୁଛନ୍ତି । ଘଣ୍ଟା ଘଣ୍ଟା ଧରି ଗାଇ ଚାଲନ୍ତି ଶ୍ଳୋକ ଓ ଆଧ୍ୟାତ୍ମିକ ସଙ୍ଗୀତ । ସବୁବେଳେ ଦେବାଦେବୀଙ୍କ ପୂଜାର୍ଚ୍ଚନା କରୁଥିବାରୁ ତାଙ୍କୁ ଆଜି ଯାଏଁ କୌଣସି ରୋଗ ଛୁଇଁ ପାରିନାହିଁ ବୋଲି ସେ କୁହନ୍ତି । ତେବେ ବିଶ୍ବାସ ରହିଛି ଯେ, ଠାକୁରଙ୍କ ପୂଜାର୍ଚ୍ଚନା ପରେ ଫୁଲମଣୀଙ୍କ ଆର୍ଶୀବାଦ ନେଲେ ସନ୍ତାନ ପ୍ରାପ୍ତିଠୁ ଚାକିରୀ ଯାଏଁ ସବୁ ମନସ୍କାମନା ପୂର୍ଣ୍ଣ ହୁଏ । ଯେଉଁଥିପାଇଁ ପଡୋଶୀ ରାଜ୍ୟ ଝାଡଖଣ୍ଡ ସମେତ ଓଡିଶାର ଆଖପାଖରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ ଏହି ଧର୍ମଚାରିଣୀଙ୍କ କୁଟୀରକୁ ।
ଏହି ବ୍ରହ୍ମଚାରିଣୀ ଫୁଲମଣି ଭଙ୍ଗାଦଦରା ମାଟି ଛପର ଘରେ ରହୁଥିବା ବେଳେ ଗ୍ରାମବାସୀ ତାଙ୍କୁ ସରକାରୀ ଘରଟିଏ ଦେବାକୁ ଦାବି କରିଛନ୍ତି । ଫୁଲମଣି ମଧ୍ୟ ଚାହାନ୍ତି ତାଙ୍କ ଭଙ୍ଗା ଦଦରା ଘରେ କରିଥିବା ମନ୍ଦିରର ରୂପ ବଦଳୁ ଏବଂ ଠାକୁରଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ ହେଉ । ତେବେ ଇଶ୍ବରଙ୍କର ଶରଣାପନ୍ନ ହୋଇ ନିଜ ସାଧନା ବଳରେ ଦୀର୍ଘ ବର୍ଷ ଧରି ଅନ୍ନ ତ୍ୟାଗ କରି କେବଳ ଫଳମୂଳ ଆହାର କରି ସୁସ୍ଥ ଜୀବନଯାପନ କରୁଥିବା ଏହି ବୃଦ୍ଧା ସମାଜ ପାଇଁ ଅନନ୍ୟ ଉଦାହରଣ ।
ରାଇରଙ୍ଗପୁରୁର ସଞ୍ଜୟ କୁମାର ପରିଡା, ଇଟିଭି ଭାରତ