ରାଇରଙ୍ଗପୁର: ରାସ୍ତାରେ ଛିଡା ହୋଇଥିବା ଟ୍ରକର ପଛପଟକୁ ଅଟୋ ଧକ୍କା ଦେବାରୁ ଜଣେ ଅଟୋ ଚାଳକଙ୍କର ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ସୁନାପୋଷୀ ଗ୍ରାମ ନିକଟ 49 ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମୃତ ଅଟୋ ଚାଳକ ଜଣକ ବାରିପଦା ଦେବେନ୍ଦ୍ରପୁର ଗ୍ରାମର ରାମକୁମାର ବୋଲି ଜଣାପଡିଛି ।
ସୂଚନାନୁସାରେ, ଅଟୋ ଚାଳକ ଜଣକ ବିଶୋଇରୁ ଯଶିପୁର ଅଭିମୁଖେ ଯାଉଥିବା ବେଳେ ସୁନାପୋଷୀ ଗ୍ରାମ ନିକଟ 49 ନଂ ଜାତୀୟ ରାଜପଥ ପାର୍ଶ୍ବରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋ ଚାଳକଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ସେଠାରେ ବ୍ୟାପକ ଉତ୍ତେଜନା ଦେଖାଯିବା ସହ ସ୍ଥାନୀୟ ଲୋକମାନଙ୍କ ଦ୍ବାରା ରାସ୍ତା ଅବରୋଧ କରାଯାଇଥିଲା । ବିଶୋଇ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ବିଶୋଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ପଠାଇବା ସହ ଏକ ମାମଲା ରୁଜୁ କରିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ