ବାରିପଦା: ବିଶ୍ବବ୍ୟାପୀ କୋରୋନା ଆତଙ୍କ କାୟା ବିସ୍ତାର କରିଥିବା ବେଳେ ପ୍ରାଣ ଭୟରେ ଲୋକେ ଭୁଲିଯାଉଛନ୍ତି ମାନବିକତା । କିନ୍ତୁ ବାରିପଦା ସହରର ଡାକ୍ତରୀ ଛାତ୍ରୀ ରାଜନନ୍ଦିନୀ ଦାସ ଏହି ସଙ୍କଟ ସମୟରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ ପୋକ ସାଲୁବାଲୁ ଘା' ସଫା କରି ଚର୍ଚ୍ଚାରେ ।
ବାରିପଦା ମୁଖ୍ୟ ଚିକିତ୍ସାଳୟ ହଲ ନିକଟ ଏକ ଦୋକାନ ସମ୍ମୁଖରେ ଜଣେ ମାନସିକ ବିକାରଗସ୍ତ ଅସହାୟ ରୋଗୀ ପୋକ ସାଲୁବାଲୁ ଘା'କୁ ନେଇ ଛଟପଟ ହେଉଥିଲେ । ଏହି ଲୋମଟାଙ୍କୁରା ଦୃଶ୍ୟ ରାଜନନ୍ଦିନୀଙ୍କ ବାପାଙ୍କ ନଜରକୁ ଆସିଥିଲା । ରାଜନନ୍ଦିନୀଙ୍କ ବାପା ପରିତୋଷ ଦାସ ସେହି ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଅଣ୍ଟା ଭିଡିଥିଲେ । ଆଉ ଏଥିରେ ତାଙ୍କୁ ସହଯୋଗ କରିଥିଲେ ଡାକ୍ତରୀ ପାଠ ପଢୁଥିବା ତାଙ୍କ ଝିଅ ରାଜନନ୍ଦିନୀ ଦାସ ।
ସେ ନିଜ ବାପାଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ଜଗନ୍ନାଥ ସେବା ଗ୍ରୁପର ମେମ୍ବରଙ୍କ ସହ ଉକ୍ତ ଯୁବକଙ୍କ ଚିକିତ୍ସା କରିଥିଲେ । ପ୍ରଥମେ ସେ ତାଙ୍କ ବାପାଙ୍କ ସହ ମିଶି ଯୁବକଙ୍କ ଗୋଡ଼ରେ ଲାଗିଥିବା ଅସଂଖ୍ୟ ପୋକକୁ ସଫା କରିଥିଲେ । ଏହା ପରେ ତାକୁ ଔଷଧ ଲଗାଇ ପଟି ବାନ୍ଧିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଡାକି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଇଥିଲେ ।
![ପୋକ ସାଲୁ ବାଲୁ ଘା' ସଫା କରି ଚର୍ଚ୍ଚାରେ ଡାକ୍ତରୀ ଛାତ୍ର ରାଜନନ୍ଦିନୀ](https://etvbharatimages.akamaized.net/etvbharat/prod-images/od-mbj-01-doctorstudentsnobelwork-visual-7203859-rtu_24072020150602_2407f_1595583362_706.jpg)
ରାଜନନ୍ଦିନୀ ବାରିପଦା ସହରର ରୁଙ୍ଗଟା କଲେଜ ଅଫ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ଚତୁର୍ଥ ବର୍ଷର ଡାକ୍ତରୀ ଛାତ୍ରୀ । କୋରୋନା ପାଇଁ କଲେଜ ବନ୍ଦ ଥିବାରୁ ଡାକ୍ତରୀ ଛାତ୍ରୀ ଜଣଙ୍କ ଏବେ ଘରେ ରହୁଛନ୍ତି । ତେବେ ଘରେ ବସି ନରହି ଏହି ସମୟରେ ସେ ଅସହାୟଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି । ଆଉ ତାଙ୍କର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଉଛି ।
ଅନ୍ୟପକ୍ଷରେ ଶ୍ରୀ ଜଗନ୍ନାଥ ସେବା ଗ୍ରୁପ ପକ୍ଷରୁ ମଧ୍ୟ ଏଭଳି ଅନେକ ଅସହାୟ ରୋଗୀଙ୍କ ଚିକିତ୍ସା କରାଯାଉଛି ବୋଲି କହିଛନ୍ତି ସେବା ଗ୍ରୁପର ଉପସଭାପତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ