ରାଇରଙ୍ଗପୁର: ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ହେଲା ବାହାଘର । ନଥିଲେ ବରଯାତ୍ରୀ, ନଥିଲା ବ୍ୟାଣ୍ଡ ବାଜା, ଫୁଟିଲାଣି ବାଣ । କୋରୋନା କଟକଣା ଯୋଗୁଁ ଶେଷରେ ନିରାଡମ୍ବର ସହ ସମ୍ପର୍ଣ୍ଣ ହୋଇଛି ଗଣମାଧ୍ୟମ ପ୍ରତିନିଧିଙ୍କ ବାହାଘର।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଚିତ୍ରଡା ଗ୍ରାମର ମହେନ୍ଦ୍ର ବେହେରାଙ୍କ ପୁତ୍ର ବିଶ୍ବ ବନ୍ଦନ ବେହେରାଙ୍କ ସହ ରାଇରଙ୍ଗପୁର ସହର ୱାର୍ଡ ନଂ 10ର ଗଣେଶ ପ୍ରଜାପତିଙ୍କ ଝିଅ ଅରୁଣା ପ୍ରଜାପତିଙ୍କ ସହ ହାତଗଣ୍ଠି ପଡିଛି। ଲକ୍ ଡାଉନ୍ ଯୋଗୁଁ ହୋଇ ପାରିଲା ନାହିଁ ଧୁମଧାମରେ ବାହାଘର। କୋରୋନା କଟକଣାକୁ ଦୃଷ୍ଟିରେ ରଖି ବରକନ୍ୟା ମୁହଁରେ ମାସ୍କ ପିନ୍ଧି ମାତ୍ର ସାତ ଜଣ ଲୋକଙ୍କ ଉପସ୍ଥିତିରେ ସାମାଜିକ ଦୂରତା ବଜାୟ ରଖି ବିବାହ ସମ୍ପନ୍ନ ହୋଇଥିବା ଦେଖିବାକୁ ମିଳିଛି ।
ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ସ୍ନେହାଶିଷ ସାହୁ ଓ ମୋରଡା ବିଧାୟକ ରାଜ କିଶୋର ଦାସଙ୍କ ଉପସ୍ଥିତିରେ ରାଇରଙ୍ଗପୁର ଏସଡିପିଅଙ୍କ କାର୍ଯ୍ୟାଳୟ ପରିସରରେ ନିରାଡମ୍ବର ସହକାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ତା ସହିତ ବରବଧୂଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବା କାମନା କରିଛନ୍ତି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରୀଡ଼ା, ଇଟିଭି ଭାରତ