ବାରିପଦା: ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ମାଡରେ ୨ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜିଡିହା ଗ୍ରାମରେ।
ସୂଚନା ଅନୁଯାୟୀ, ବାରିପଦା ଅଞ୍ଚଳର ଗୁରୁଭା ସିଂ ଏବଂ ତାଙ୍କ ସ୍ତ୍ରୀ ନିଜ ସମୁଦି ଘରକୁ ବୁଲିବାକୁ ଆସିଥିଲେ । ସମୁଦି ଘର ପାଖରେ ଜଣେ ସଂପର୍କୀୟଙ୍କୁ ବାରମ୍ବାର ଜ୍ଵର ହେଉଥିବାରୁ ଘରେ ପୂଜା କରିବାକୁ ଗୁରୁଭାଙ୍କୁ ତାଙ୍କ ସମୂଦି କହିଥିଲେ ।
ଗୁରୁଭା ଶୁକ୍ରବାର ସନ୍ଧ୍ୟା ସମୟରେ ପୂଜା ଆରମ୍ଭ କରିଥିଲେ । ତେବେ ଜ୍ଵର ଭଲ ହେବା ନିମନ୍ତେ ପୂଜା କରାଯିବା ଘଟଣା ଗ୍ରାମବାସୀ ଜାଣି ଗୁଣି ସନ୍ଦେହରେ ଶନିବାର ସେଠାରେ ପହଞ୍ଚି ଗୁରୁଭାଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ନିସ୍ତୁକ ମାଡ ମାରିଥିଲେ ।
ଏପରିକି ଗ୍ରାମବାସୀମାନେ ଗୁରୁଭାଙ୍କ ସମୁଦୁଣୀ ଲେତ ସିଂଙ୍କୁ ଗୋଟିଏ ଗଛରେ ବାନ୍ଧି ମାଡ ମାରିଥିଲେ। ଏହି ଘଟଣାରେ ୫ ଜଣଙ୍କ ମଧ୍ୟରୁ ଗୁରୁଭା ଏବଂ ଲେତ ସିଂ ଗୁରୁତର ଆହତ ହୋଇଛନ୍ତି ।
ଏପଟେ ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ଉଦ୍ଧାର କରି ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଏହି ଘଟଣାରେ ପୋଲିସ କୌଣସି ଗ୍ରାମବାସୀଙ୍କୁ ଗିରଫ କରିନଥିବା ବେଳେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ