ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଭଞ୍ଜସେନା ଜାଗ୍ରତ ପ୍ରହରୀଙ୍କ ପକ୍ଷରୁ 24 ଘଣ୍ଟିଆ ଅର୍ଥନୈତିକ ଅବରୋଧ ହୋଇଛି । ସରକାର ଆମକୁ ରୋଜଗାର ଦିଅ ଲୁହାପଥର ନିଅ ନାରା ଦେଇ ସକାଳ 6ଟାରୁ ଭଞ୍ଜସେନା ଦଳ ଅବରୋଧ ଆରମ୍ଭ କରିଛି ।
ମୟୂରଭଞ୍ଜ ଜିଲ୍ଲା ଖଣି ପ୍ରାଧାନ୍ୟ ଜିଲ୍ଲା । ଏଠୁ ଲୁହାପଥର ବାହାର ରାଜ୍ୟକୁ ରପ୍ତାନୀ ହେଉଛି । ବାହାର ରାଜ୍ୟ ଲୋକେ ରୋଜଗାର ପାଉଛନ୍ତି । ହେଲେ ଲୁହାପଥର ଜିଲ୍ଲାର ଲୋକଙ୍କୁ କିଛି ସୁବିଧା ନାହିଁ । ସେମାନେ ରୋଜଗାର ଅଭାବରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ କୌଣସି ଶିଳ୍ପ ପ୍ରତିଷ୍ଠା ହୋଇପାରିନାହିଁ । ସେମାନଙ୍କର ଏହି ଅସୁବିଧାକୁ ଦୂର କରି ସେମାନଙ୍କୁ ରୋଜଗାର ଦେବାକୁ ଦାବି କରିଛନ୍ତି ରାଇରଙ୍ଗପୁରର ଜାଗ୍ରତ ପ୍ରହରୀ ।
ରାଇରଙ୍ଗପୁର ଉପଖଣ୍ଡର ତିନୋଟି ବୃହତ ଲୌହଖଣି ଯଥା ଗୋରୁମହିଷାଣି, ସୁଲେଇପାଟ ଓ ବାଦାମପାହାଡ଼ ଲୌହଖଣିରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁ ନଥିବା ବେଳେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାଇରଙ୍ଗପୁର, ବହଳଦା, ବିଶୋଇ, ତିରିଂ ଛକରେ ଲୁହାପଥର ପରିବହନକୁ ବିରୋଧ କରିବା ସହିତ ଲୁହାପଥର ବୋଝେଇ ଟ୍ରକ ଗୁଡ଼ିକୁ ଅଟକ ରଖି 24 ଘଣ୍ଟିଆ ଅବରୋଧ କରିଛି ଭଞ୍ଜସେନା ଦଳ । ଯଦି ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଆଗକୁ ଅନିର୍ଦ୍ଦିଷ୍ଟକାଳ ପାଇ ଲୁହାପଥର ଆମଦାନୀ ବନ୍ଦ ରହିବ ବୋଲି କହିଛନ୍ତି ଭଞ୍ଜସେନା ମୁଖପାତ୍ର ମୋହିତ ବିଶୋୟୀ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ