ରାଇରଙ୍ଗପୁର: ଫରେଷ୍ଟ ଗେଟ ବନ୍ଦ ଯୋଗୁଁ ଅଧଘଣ୍ଟା ଅଟକିଲା ୧୦୮ ଆମ୍ବୁଲାନ୍ସ । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଭେଜିଡିହା ଫରେଷ୍ଟ ଗେଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ରବିବାର ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସଟି ପାଖାପାଖି ଅଧଘଣ୍ଟା ଅଟକି ରହିଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭର ।
୧୦୮ ଆମ୍ବୁଲାନ୍ସଟି ଏକ ଗୁରୁତର ରୋଗୀକୁ ଆଣିବା ପାଇଁ ଶରତରୁ ତରାମରା ଗ୍ରାମପଞ୍ଚାୟତ ପତରତୁଳା ଗାଁରୁ ଆସୁଥିଲା । ଫରେଷ୍ଟ ଗେଟରେ ତାଲା ପକାଇ ଅଧିକାରୀମାନେ ଶୋଇପଡିଥିଲେ । ଫଳରେ ଫାଟକ ନିକଟରେ ୨୪ ମିନିଟ ଧରି ଆମ୍ବୁଲାନ୍ସକୁ ଅଟକି ରହିବାକୁ ପଡିଥିଲା । ବହୁ ବିଳମ୍ବରେ ଫରେଷ୍ଟ କର୍ମଚାରୀମାନେ ଆସି ଗେଟ ଖୋଲିଥିଲେ । ତେବେ ଏକ ମୁଖ୍ୟ ରାସ୍ତାରେ ଏହି ଫରେଷ୍ଟ ଗେଟ ଥିବାରୁ କର୍ମଚାରୀମାନଙ୍କ ଅବହେଳା ପାଇଁ ଗୋଟିଏ ମୂଲ୍ୟବାନ ଜୀବନ ଆଉ ଅଳ୍ପ ସମୟ ମଧ୍ୟରେ ଚାଲି ଯାଇଥାନ୍ତା ବୋଲି ସେ କହିଥିଲେ ।
ପତରତୁଳା ଗାଁର ଜଗତା ମାର୍ଣ୍ଣି ନାମକ ଏକ ନାବାଳକ ରବିବାର ବିଳମ୍ବିତ ରାତିରେ ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଡାକିଥିଲେ ପରିବାର ଲୋକେ । ୧୦୮ ଆମ୍ବୁଲାନ୍ସ ଠାକୁରମୁଣ୍ଡାରେ ସେତେବେଳେ ଉପଲବ୍ଧ ନ ଥିବାରୁ ଶରତରୁ ଆସିଥିଲା । ହେଲେ ଆସିବା ବେଳକୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫରେଷ୍ଟ କର୍ମଚାରୀଙ୍କ ଏପରି ଖାମଖିଆଲି ନୀତି ପାଇଁ ଆଉ ଅଳ୍ପ ସମୟ ଡେରି ହୋଇଥିଲେ ଏକ ମୂଲ୍ୟବାନ ଜୀବନ ଦୀପ ସବୁଦିନ ପାଇଁ ଲିଭି ଯାଇଥାନ୍ତା । ତେବେ ଏପରି କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ