ମାଲକାନଗିରି: ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ଅଘୋଷିତ ବିଦ୍ୟୁତ୍କାଟ । ଖରା ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍କାଟ ସାଧାରଣ ଜନ ଜୀବନକୁ ଦୁର୍ବିଶୟ କରିଦେଲାଣି । ଅନ୍ୟପଟେ ଆଗକୁ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ନେଇ ଏବେ ଚିନ୍ତାରେ ଛାତ୍ରଛାତ୍ରୀ ।
ବିଜୁଳିକାଟକୁ ନେଇ ସନ୍ତୁଳି ହେଉଛନ୍ତି ଉପାନ୍ତ ଜିଲ୍ଲା ମାଲକାନଗିରିର ସାଧାରଣ ଲୋକେ । ଖରା ବଢୁଥିବା ବେଳେ ଅଘୋଷିତ ପାୱାରକଟ୍କୁ ନେଇ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଛୁଆଠୁ ବୃଦ୍ଧ । ମାଲକାନାଗିର ଜିଲ୍ଲାରେ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ ରହିଥିବା ବେଳେ, ଦ୍ୱୀପତଳ ଅନ୍ଧାର ଭଳି ପରିସ୍ଥିତି ଏଠାରେ ଦେଖିବାକୁ ମିଳିଛି । ଏଠାରେ ଜଳ ବିଦ୍ୟୁତ୍ କେନ୍ଦ୍ର ଥାଇ ମଧ୍ୟ ନଥିଲା ଭଳି ପରିସ୍ଥିତ ଉପୁଜିଛି ।
ସେହିପରି ଏଠାରୁ ଉତ୍ପାଦିତ ଜଳ ବିଦ୍ୟୁତ୍ ଦେଶର ବିଭିନ୍ନ ରାଜ୍ୟକୁ ବିତରଣ କରାଯାଉଛି । ମାତ୍ର ବାଲିମେଳା ଜଳଭଣ୍ଡାରରେ ଆବଶ୍ୟକତା ଠାରୁ ଯଥେଷ୍ଟ ପରିମାଣରେ ପାଣି ରହିବା ସ୍ବତ୍ତେ ୮ଟି ଟରବାଇନରୁ ଚାଲୁଛି ମାତ୍ର ୬ ଟରବାଇନ । ଉତ୍ପାଦନ ହେଉଛି ମାତ୍ର ୩୯୦ ମେଗାୱାଟ ବିଦ୍ୟୁତ୍ ।
ଏପଟେ ମାଲକାନଗିରି ବାସିନ୍ଦା ଅଭିଯୋଗ ଅନୁସାରେ ବାଲିମେଳା ଜଳବିଦ୍ୟୁତ୍ କେନ୍ଦ୍ରରୁ ଉତ୍ପାଦନ ହେଉଥିବା ବିଜୁଳି ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ହେଉଛି ଘନ ଘନ ବିଜୁଳିକାଟ । ବାରମ୍ବାର ବିଦ୍ୟୁତକାଟକୁ ନେଇ ସାଧରଣ ଲୋକେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜୁଳିକାଟ ଫଳରେ ଗରିବ ଓ ରୋଗୀ ମଧ୍ୟ ଗରମରେ ଆଉଟ ପାଉଟ ହେଉଥିବା ଦେଖିବାକୁ ମିଳିଛି । ସେହିଭଳି କିଏ ଘରେ ବିଞ୍ଚଣାରେ ବିଞ୍ଚି ହେଉଛି ତ କିଏ ଗଛ ତଳେ ଆଶ୍ରୟ ନେଇଛି ।
ସବୁଠାରୁ ବଡ କଥା ହେଉଛି ଏହି ବିଦ୍ୟୁତ୍ କାଟର ପ୍ରଭାବ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉପରେ ପଡିଛି । ଆଗକୁ ଏମାନଙ୍କ ବୋର୍ଡ ପରୀକ୍ଷା ଥିବାବେଳେ ଛାତ୍ରଛାତ୍ରୀ ପାଠ ପଢାରେ ବିଘ୍ନ ସୃଷ୍ଟି ହେଉଛି । ଅପରପକ୍ଷରେ ରାଜ୍ୟ ସରକାର ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ସୁଧାର ଆଣିବା ଲାଗି ଟାଟା କମ୍ପାନୀକୁ ବିଦ୍ୟୁତ୍ ବିତରଣ ପାଇଁ ଦାୟିତ୍ବ ଦେଇଛନ୍ତି ।
ମାତ୍ର ଟାଟା ପାୱାର ଦାୟିତ୍ବ ନେବାର ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟରେ ଜାରି ରହିଛି ଘନ ଘନ ବିଜୁଳିକାଟ । ଏହାକୁ ନେଇ ଏବେ ସାଧାରଣ ଲୋକେ ପ୍ରଶ୍ନ କରିଥିବା ବେଳେ ବିଦ୍ୟୁତକାଟ ନେଇ ମାଲକାନଗିରି ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଝାରସୁଗୁଡ଼ାର OPGC ୟୁନିଟ୍ 4 ଓ ସୁନ୍ଦରଗଡର ଦର୍ଲିପାଲିରେ ଥିବା NTPCର 1000 ମେଗାୱାଟ ଉତ୍ପାଦନ କମ୍ ଥିବାରୁ ଏହି ସମସ୍ୟା ଦେଖା ଯାଇଛି । ଏଥିସହ ନିଜ ଉପରୁ ଦୋଷ ଛଡାଇବା ଲାଗି SLDC (STATE LOAD DESPATCH CENTER)ର ନିର୍ଦ୍ଦେଶକ୍ରମେ ଦିନକୁ ଅଧଘଣ୍ଟା ଲେଖାଏଁ ଦୁଇ ଥର ବିଦ୍ୟୁତ୍ କାଟ କରାଯାଉଛି ବୋଲି ସେ ସଫେଇ ଦେଇଛନ୍ତି । ଏହାର ସମାଧାନ ପାଇଁ ଉପର ସ୍ତରର ଅଧିକାରୀମାନେ ଚେଷ୍ଟା ଜାରି ରଖିଥିବା ନିର୍ବାହି ଯନ୍ତ୍ରୀ କହିଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ ।