ମାଲକାନଗିରି: ଡଙ୍ଗା ବୁଡ଼ି ଦୁଇ ନିଖୋଜ । ଆନ୍ଧ୍ରର ପଡ଼ାଲପୁଟ ଗାଁରୁ ବାହାଘର ପାଇଁ ଯାଇ ଫେରୁଥିବା ଥିବା ବେଳେ ଘଟିଛି ଅଘଟଣ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ସିନ୍ଦିଗୁଡ଼ା ଗାଁ ନିକଟରେ ଏକ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ବୁଡିଯିବାରୁ ୨ଜଣ ନିଖୋଜ ହୋଇଛନ୍ତି । ଡଙ୍ଗାରେ ଥିବା ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ତେବେ ନିଖୋଜ ୨ ଜଣ ହେଲେ ଦିଣ୍ଡିଗୁଡା ଗାଁର ସଜିତ କିଡ଼ିଙ୍ଗା ଏବଂ ବଳରାମ କିଡିଙ୍ଗା । ସେହିପରି ଉଦ୍ଧାର ହୋଇଥିବା ତିନି ଜଣ ରାମ କିଡିଙ୍ଗା, ଗୋପାଳ କିଡିଙ୍ଗା, ଲାଛା କିଡିଙ୍ଗା ବୋଲି ଜଣାପଡିଛି । ଘଟଣାସ୍ଥଳରେ ଖଇରପୁଟ ଅଗ୍ନିଶମ ବିଭାଗ ଟିମ୍ ଏବଂ ମୁଡୁଲିପଡା ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ପ୍ରକାଶ ଥାଉକି, ଗତ ଗୁରୁବାର ପ୍ରଳୟଙ୍କରୀ କାଳବୈଶାଖୀର ତାଣ୍ଡବରେ ସତୀଗୁଡ଼ା ଜଳଭଣ୍ଡାରରେ ଦୁଇଟି ହୁଲିଡଙ୍ଗାରେ ମାଛ ଧରୁଥିବା ବେଳେ ଡ଼ଙ୍ଗା ବୁଡି ଦୁଇଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ । ଭିମାରାଙ୍ଗିଣୀ ଗ୍ରାମର ତୁଳସା ମାଡ଼ି(୩୫) ଓ ଏମଭି୧୧୧ ଗ୍ରାମର ଗୋବିନ୍ଦ ସର୍ଦାର ଜଳଭଣ୍ଡାରରେ ନିଖୋଜ ହୋଇଥିଲେ । ସେ ଦୁଇ ନିଖୋଜଙ୍କୁ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ଗୁରୁବାର ଠାରୁ ଜଳଭଣ୍ଡାରରେ ଖୋଜିବା ଆରମ୍ଭ କରିଦେଇଥିଲେ । ପ୍ରଥମ ଗତ ଶୁକ୍ରବାର ଦିନ ଜଣେ ମହିଳା ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିଲେ । ଶନିବାର ସକାଳେ ପୁଣି ଥରେ ମାଲକାନଗିରି ଅଗ୍ନିଶମ ବିଭାଗ ଅଧିକାରୀ କମଳ କୁମାର ଗୌଡ଼ଙ୍କ ନେତୃତ୍ୱରେ କର୍ମଚାରୀମାନେ ଜଳ ଭଣ୍ଡାରରେ ବୁଡ଼ି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ବହୁତ ଖୋଜାଖୋଜି କରିବା ପରେ ନିଖୋଜ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର ଅଶୋକ ପାଲ, ସିନ୍ଦ୍ରିମାଲ ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ପତ୍ର, ସିନ୍ଦ୍ରିମାଲ ପଞ୍ଚାୟତ ସରପଞ୍ଚ ଘାଷି ନାୟକ ସତୀଗୁଡା, ଏମଭି୧୧୧ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଗତ ମେ ମାସରେ ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ଡାଇକ ୩ ଗ୍ରାମର ସଗରିଆ, କୈଳାଶ ଓ କୃପା ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ମାଛ ଧରିବାକୁ ଯାଇଥିଲେ । ଡଙ୍ଗା ସାହାଯ୍ୟରେ ସିଙ୍ଗାରାମକୁ ମାଛ ଧରିବା ପାଇଁ ଯାଇ ଫେରୁଥିବା ବେଳେ ଭୀଷଣ ପବନ ଓ ବର୍ଷା ହୋଇଥିଲା । ଫଳର ଡଙ୍ଗାଟି ଭାରସାମ୍ୟ ହରାଇ ଜଳଭଣ୍ଡାରେ ବୁଡ଼ି ଯାଇଥିବା ବେଳେ ତିନି ମତ୍ସ୍ୟଜୀବୀ ମଧ୍ୟ ବୁଡିଯାଇଥିଲେ । ହରି ସଗରିଆ ଓ କୈଳାଶ ନାୟକ କୌଶଳ କ୍ରମେ ପହଁରି ପହଁରି କୂଳକୁ ଆସିଥିବା ବେଳେ କୃପା ବେନିଆ ନିଖୋଜ ଥିଲେ ।
ଏନେଇ ଗ୍ରାମବାସୀ ଚିତ୍ରକୋଣ୍ଡା ଓ କୁଡୁମୁଲୁଗୁମ୍ମା ଅଗ୍ନିଶମ ଅଧିକାରୀଙ୍କୁ ଜଣାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । କିଛି ସମୟ ପରେ ନିଖୋଜ ଥିବା କୃପା ବେନିଆଙ୍କ ମୃତଦେହକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ ।
ଇଟିଭି ଭାରତ, ମାଲକାନଗିରି