ମାଲକାନଗିରି: ଜଳଛତ୍ର ପାଣି ପିଇ ୩ ଗୁରୁତର । ମାଲକାନଗିରି ଏମଭି ୭୯ ଥାନା ଶିମିଳିବାଞ୍ଛା ପଞ୍ଚାୟତର ଏମ୍ଭି ୪୯ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଆହତ ମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଜଳଛତ୍ର ପାଣିରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି ।
ସୂଚନାନୁସାରେ, ପଡିଆ ଥାନା ଏମଭି ୪୯ ଗାଁରେ ଖରାଦିନ ଯୋଗୁଁ ଜଳଛତ୍ର ଖୋଲାଯାଇଥିଲା । ଏହି ଜଳଛତ୍ର କେନ୍ଦ୍ରର ରକ୍ଷଣା ବେକ୍ଷଣ ଓ ପ୍ରତ୍ୟକ ଦିନ ପାଣି ଭର୍ତ୍ତି କରିବା ପାଇଁ ଗ୍ରାମର ସନ୍ଧ୍ୟା ରାଣୀ ମଣ୍ଡଳ ନାମକ ଜଣେ ମହିଳାଙ୍କୁ ଗ୍ରାମବାସୀ ମାନେ ଚୟନ କରି ନିୟୋଜିତ କରିଥିଲେ l ପଞ୍ଚାୟତ ତରଫରୁ ମହିଳାକୁ ପାରିଶ୍ରମିକ ଦେବା ପାଇଁ ସ୍ଥିର କରାଯାଇଥିଲା l ତେବେ ମହିଳା ଜଣଙ୍କ ପ୍ରତ୍ୟକ ଦିନ ଭଳି ମାଟି ହାଣ୍ଡିରେ ପାଣି ରଖି ସେଠାରେ ରହିଥିବା ବେଳେ ଦିନ ୩ଟା ସମୟରେ କୌଣସି କାମରେ ନିଜ ଘରକୁ ଚାଲି ଯାଇଥିଲେ l ଏହି ସମୟରେ ସେଠାରେ ଲୋକମାନେ ପହଁଚି ଜଳଛତ୍ର କେନ୍ଦ୍ରରୁ ପାଣି ପିଇଥିଲେ l ପାଣି ପିଇବାର କିଛି ସମୟ ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହେବା ପରେ ଗାଁ ଲୋକ ସେଠାରେ ପହଁଚି ମାଠିଆ ପାଣି ଯାଂଚ କରିବା ପରେ ସେଥିରେ ବିଷ ମିଶି ଥିବା ଜାଣିବାକୁ ପାଇଥିଲେ ।
ଆହତମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଆହତମାନେ ହେଉଛନ୍ତି ଏମପିଭି ୪୯ ଗ୍ରାମର ବିଶାଖା ଗୋଲଦର (୧୩), ଦେବବ୍ରତ କୋଏଲ (୨୪) ଏବଂ ଏମଭି ୧୧୬ ଗ୍ରାମର ତୁସାର ମଣ୍ଡଳ (୨୨) ବୁଲି । ତେବେ ଜଳଛତ୍ରରେ କିଏ କୀଟନାଶକ ମିଶାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଭିନ୍ନଭିନ୍ନ ତରିକା ଆପଣେଇଥାନ୍ତି । ଏପରି ସ୍ଥିତିରେ ଜଳଛତ୍ରରେ ବିଷ ମିଶିବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ