ମାଲକାନଗିରି: ଜିଲ୍ଲାର ଚିତ୍ରୋକୋଣ୍ଡା ବିଛିନ୍ନାଞ୍ଚଳରେ ପୁଣି ବସିଛି ପ୍ରଜା ମେଳି । ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଚିତ୍ରକୋଣ୍ଡା ବ୍ଲକ ବିଚ୍ଛିନ୍ନାଞ୍ଚଳର ପଣସପଟ, ଯଡାଆମ୍ବ, ଜନ୍ତ୍ରୀ, ରାଲେଗୁଡା ଓ ଅଣ୍ଡ୍ରାପାଲ୍ଲୀ ପଞ୍ଚାୟତର ହଜାର ହଜାର ଆଦିବାସୀ ଏକ ହୋଇଛନ୍ତି । ସରକାରଙ୍କ ବିରୁଦ୍ଧରେ ମେଳି ବାନ୍ଧିଛନ୍ତି।
ଗତ ୧୫ ତାରିଖରେ ରାଜୁ ହନ୍ତାଳ ନାମକ ଜଣେ ବ୍ୟକ୍ତିଙ୍କୁ ବିଏସଏଫ ଯବାନ ପିଟି ପିଟି ମାରିବା ଅଭିଯୋଗକୁ ନେଇ ଲାଗି ରହିଛି ଉତ୍ତେଜନା । ହତ୍ୟାକାରୀ ଦୁଇ ବିଏସଏଫ ଯବାନଙ୍କୁ ତୁରନ୍ତ ଗିରଫ କରିବା ସହ ବିଚ୍ଛିନ୍ନାଞ୍ଚଳର ଦୁଇଟି ଥାନାକୁ ଉଚ୍ଛେଦ କରିବା ଲାଗି ଦାବି କରିଛନ୍ତି ଆଦିବାସୀ । ଏହା ସହ 8 ଦଫା ଦାବି ମାଧ୍ୟମରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନ ଉପରେ ସରକାର ଦୃଷ୍ଟି ଦେବା ଲାଗି ପ୍ରାୟ ୫ ହଜାରରୁ ଉର୍ଦ୍ଧ ଆଦିବାସୀ ଦାବି ଜଣାଇ ମେଳି କରିଛନ୍ତି।
ଅପରପକ୍ଷରେ ସୂଚନା ରହିଛି, ଟପ୍ ମାଓ ନେତା ସୁଧୀର ଆତ୍ମସମର୍ପଣ କରିବା ପରେ ଭାଙ୍ଗି ଯାଇଛି ଲାଲ ସଙ୍ଗଠନ । ଏହାକୁ ପୁନର୍ବାର ଆନ୍ଧ୍ର, ଓଡିଶା ଓ ଛତିଶଗଡ ରାଜ୍ୟରେ ସକ୍ରିୟ କରିବା ପାଇଁ ଚାଲ ଚଲାଇଛି ମାଓ ନେତା ଆର.କେ । ଭୁସୁଡ଼ି ଯାଇଥିବା ସଙ୍ଗଠନକୁ ସଜାଡ଼ିବା ପାଇଁ ନିରୀହ ଆଦିବାସୀଙ୍କୁ ଏପରି ଉସକାଉଥିବା ନେଇ ସୂଚନା ମିଳିଛି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ