ମାଲକାନଗିରି:ଆଦର୍ଶ ଥାନା ଅନ୍ତର୍ଗତ ଗଙ୍ଗଲା ପଞ୍ଚାୟତ ପେଦାବେଡା ଗାଁରେ କିଛି ଦିନ ହେଲା କୁକୁଡ଼ାଗାଲି ବା ଗଞ୍ଜା ଲଢ଼େଇ ଚାଲିଥିଲା। ଏନେଇ ଖବର ପାଇ ମାଲକାନଗିରି ଥାନା ପୋଲିସର ଟିମ୍ ଚଢ଼ାଉ କରିଥିଲା । ସେଠାରୁ କେତେକ ବ୍ୟକ୍ତି ବାଜି ଲାଗିଥିବା ଟଙ୍କା ସହ ଖସି ଯାଇଥିବା ବେଳେ ୩ଟି ଗଞ୍ଜା ସହ ୨ ଜଣ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଥିଲା ।
ତେବେ ଗିରଫ ହୋଇଥିବା ୨ଜଣ ହେଲେ ପେଦାବେଡ଼ା ଗାଁର ଗଙ୍ଗାଧର ମାଡକାମୀ ( ୩୭ ) ଓ ବ୍ରଜକିଶୋର ବିଶୋଇ ( ୩୬ ) । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ଥାନା ହାଜତରେ ୩ ଲଢୁଆ ଗଞ୍ଜାଙ୍କୁ ବନ୍ଦୀ ରଖାଯାଇଛି । ନା ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ନା ଛଡ଼ାଯାଇଛି । ଥାନା ପକ୍ଷରୁ ଉଦ୍ଧାର ହୋଇଥିବା ୩ଟି ଗଞ୍ଜାର ରକ୍ଷଣାବେକ୍ଷଣ ଲାଗି ଭଦ୍ର ବ୍ୟକ୍ତିଙ୍କୁ ଜିମା ଦିଆଯାଇଛି ।
ସୂଚନା ମୁତାବକ, ମାଲକାନଗିରି ଜିଲ୍ଲାରେ ଦୁର୍ଗାପୂଜାରୁ ହୋଲି ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଗାଁରେ ଏହି ଗଞ୍ଜା ଲଢ଼େଇ ବା କୁକୁଡ଼ାଗାଲି ଚାଲିଥାଏ । ଖେଳରେ ବାଜି ଲାଗେ ଲକ୍ଷାଧିକ ଟଙ୍କା । ଆଦିବାସୀମାନେ ଧାନ, ଚାଉଳ, ଗୋରୁଗାଈ ଏମିତିକି ଜମିବାଡ଼ି ବନ୍ଧା ପକାଇ ଖେଳରେ ବାଜି ଲଗାଇଥାନ୍ତି । ଲଢ଼େଇରେ ସାମିଲ ହେଉଥିବା ଗଞ୍ଜାଗୁଡ଼ିକୁ ଗୋଟା ପ୍ରାୟ ୫ରୁ ୮ ହଜାର ଟଙ୍କା ଦେଇ କିଣା ଯାଇଥାଏ ।
ଇଟିଭି ଭାରତ, ମାଲକାନଗିରି