ମାଲକାନଗିରି: ଜିଲ୍ଲାରେ ଉଦଘାଟନ ହୋଇଛି ଧାନ ମଣ୍ଡି । ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଠାରେ ଖୋଲାଯାଇଥିବା ଜିଲ୍ଲାର ପ୍ରଥମ ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ୱାଇ ବିଜୟ । ପ୍ରଥମ ଥର ଲାଗି ମାଲକାନଗିରି ଜିଲ୍ଲାରେ ପିପିସି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣିବା ଲାଗି ସ୍ଥିର ହୋଇଛି ।
ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୬୫ ଟି ଧାନ ମଣ୍ଡି ଖୋଲାଯାଇଥିବା ବେଳେ ଗୋଟିଏ ସବ ମଣ୍ଡି ମଧ୍ୟ କରା ଯାଇଛି ଏହା ସହ ଆବଶ୍ୟକ ସ୍ଥଳେ ଏହାକୁ ବଢାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଚଳିତ ବର୍ଷ ୭ ଲକ୍ଷ ୫୫ ହଜାର କ୍ୟୁଇଣ୍ଟାଲ ଧାନ କିଣା ଯିବାକୁ ସ୍ଥିର କରା ଯାଇଥିବା ବେଳେ ପରବର୍ତ୍ତି ପର୍ଯ୍ୟାୟରେ ଏହାକୁ ବୃଦ୍ଧି ମଧ୍ୟ କରାଯିବ । ଚାଷୀଙ୍କ ଲାଗି FAQ ମାନର ଧାନର ମୂଲ୍ୟ ୧୮୬୮ ଟଙ୍କା ରଖା ଯାଇଥିବା ବେଳେ ଗ୍ରେଡ ଏ-ଧାନର ମୁଲ୍ୟ ୧୮୮୮ ଟଙ୍କା ରଖାଯାଇଛି । ଚାଷୀ ମାନେ ଯେପରି ଦଲାଲଙ୍କ ଠକାମିର ଶିକାର ନହେବେ ସେଥିପାଇଁ ଅନ ଲାଇନରେ ଟିକଟ ପ୍ରଦାନ କରାଯିବା ସହ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପେମେଣ୍ଟ କରାଯିବ। ବ୍ୟବସ୍ଥା କରାଯାଇଛି ।
ପ୍ରଥମ କରି ଚଳିତ ବର୍ଷ ମାଣ୍ଡରେ ଧାନ କିଣା ଯିବା ସମୟରେ ଦୁର୍ନୀତିକୁ ରୋକା ଯିବା ପାଇଁ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ସହ ପଡୋଶୀ ରାଜ୍ୟର ଦଲାଲଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ବୋର୍ଡର ପଏଣ୍ଟକୁ ତୀକ୍ଷଣ ନଜର ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ