ମାଲକାନଗିରି: ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତ ବେହେରା । ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବାକୁ ମାଲକାନଗିରି ଜିଲ୍ଲା ଦାୟିତ୍ବରେ ରହିଛନ୍ତି କ୍ରୀଡ଼ା ମନ୍ତ୍ରୀ । ଜିଲ୍ଲା ସଦର ମହକୁମା mv-3 BSF କ୍ୟାମ୍ପ ରେ ହେଲିକପ୍ଟର ଯୋଗେ ପହଞ୍ଚିବା ପରେ ଜିଲ୍ଲାରେ କୋରୋନା ସ୍ଥିତି ସମୀକ୍ଷା କରିଥିଲେ । ଏଥିସହିତ ଜିଲ୍ଲାବାସୀଙ୍କୁ ପ୍ଲାଜମା ଦାନ ପାଇଁ ଆହ୍ବାନ କରିଥିଲେ ।
ଜିଲ୍ଲା ସର୍କିଟ ହାଉସରେ ଜିଲ୍ଲାପାଳଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ମନ୍ତ୍ରୀ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । କୋରୋନା ନିୟନ୍ତ୍ରଣ ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲାର ସମସ୍ତ ବିଭାଗୀୟ କର୍ମଚାରୀ ଲାଗିଛନ୍ତି । ଏହି ଭାଇରସ ସଂକ୍ରମଣ ବର୍ତ୍ତିବା ପାଇଁ ସଚେତନତାର ଆବଶ୍ୟକ ରହିଥିବା ମନ୍ତ୍ରୀ କହିଛନ୍ତି । ଯେ ପର୍ଯ୍ୟନ୍ତ ଭାକସିନ୍ କିମ୍ବା ମେଡ଼ିସିନ ଉପଲବ୍ଧ ହୋଇନାହିଁ, ସେପର୍ଯ୍ୟନ୍ତ ପ୍ଲାଜମା ଦାନ କରି ରୋଗୀଙ୍କୁ ବଞ୍ଚେଇବାକୁ ଆହ୍ବାନ ଦେଇଛନ୍ତି ମନ୍ତ୍ରୀ ।
କୋରୋନାରୁ ସୁସ୍ଥ ହେବାର 4 ସପ୍ତାହ ପରେ ଜଣେ ପ୍ଲାଜମା ଦାନ କରି ଅନ୍ୟକୁ ଆରୋଗ୍ୟ କରିପାରିବେ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 100 ଜଣ ପ୍ଲାଜମା ଦାନ କରିବାକୁ ସକ୍ଷମ ଥିବା ଜଣାପଡିଛି । ସେଥିମଧ୍ୟରୁ 48 ଜଣ ପ୍ଲାଜମା ଦାନ କରିବାକୁ ଆଗକୁ ଆସିଛନ୍ତି । ରାଜ୍ୟରେ ପ୍ଲାଜମା ଥେରାପି ସଫଳ ହେଉଥିବାରୁ, ଅନ୍ୟ ସମସ୍ତଙ୍କୁ ମଧ୍ୟ ପ୍ଲାଜମା ଦାନ ପାଇଁ ଆହ୍ବାନ କରିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ