ମାଲକାନଗିରି: ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର । ରବିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ବିଛିନ୍ନାଞ୍ଚଳର ବିଭିନ୍ନ ସ୍ଥାନରେ ଆଦିବାସୀ ଏକତା ବିଛିନ୍ନାଞ୍ଚଳ ଉନ୍ନୟନ ସମିତି ତରଫରୁ ମାଓ ବିରୋଧୀ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।
ଚିତ୍ରକୋଣ୍ଡା ବ୍ଲକର ମାଡକାପଦର, ସ୍ପିଲବେ, ଜାନବାଇ, ନାକାମାମୁଡି, ଚିତ୍ରକୋଣ୍ଡା, ମୁଦୁଲିପଡା, ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଇଥିବା ଦେଖୁବାକୁ ମିଳିଛି । ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ‘ଆମ୍ଭେମାନେ ବିକାଶ ଚାହୁଁ ବିନାଶ ନୁହେଁ’।

ଚଳିତ ବର୍ଷ ଫେବୃୟାରୀରେ ବିନା ଦୋଷରେ ତିନି ଜଣ ଗ୍ରାମବାସୀ ଅଲିଙ୍ଗପଦରର ସାଧୁ ପାଙ୍ଗି, ଟାବେର ଗ୍ରାମର ଲୋକା ମୁଦୁଲି, ଜୋଡାମ୍ବର ଦିନବନ୍ଧୁ ସରକାରଙ୍କୁ ପୋଲିସ ସୂଚନାଦାତା କହି ଅନ୍ୟାୟରେ ମାଓବାଦୀମାନେ ସେମାନଙ୍କୁ ବିଭତ୍ସ ହତ୍ୟା କଲେ ।
ବର୍ଷ ବର୍ଷ ଧରି ଆମ ଅଞ୍ଚଳରେ ବିକାଶ କଣ ଆମେ ଦେଖି ନଥିଲୁ । ଆଜି ବିକାଶ ଆରମ୍ଭ ହେବାବେଳେ ମାଓବାଦୀ ବିରୋଧ କରୁଥିବାରୁ ଏହାକୁ ଆମେ ବରଦାସ୍ତ କରିବୁ ନାହିଁ। କୋରୋନା ରୋଗ ବ୍ୟାପିଥିଲା ବେଳେ ରାଜ୍ୟ ସରକାର ଆମକୁ ତିନି ମାସର ଚାଉଳ ଡାଲି ଦେଇଛନ୍ତି । କିନ୍ତୁ ମାଓବାଦୀମାନେ ଆସି ଜବରଦସ୍ତ ବନ୍ଧୁକ ମୁନ ଦେଖାଇ ଲୁଟି ନେଇଛନ୍ତି ।
ଆମ ଅଞ୍ଚଳର ମିଲିସିଆ ଭାଇମାନଙ୍କୁ ସତର୍କ କରୁଛୁ କି ମାଓବାଦୀଙ୍କ କଥାରେ ଆମ ଜାତି, ଆମ ମାଟି ପ୍ରତି ବିପଦ ସୃଷ୍ଟି କରନ୍ତୁ ନାହିଁ । ଗୁରୁପ୍ରିୟା ସେତୁ ନିର୍ମାଣ, ପୋଲିସ କ୍ୟାମ୍ପ ହେବା ପରଠାରୁ ଆମ ଅଞ୍ଚଳରେ ଶାନ୍ତି ଫେରି ଆସିବା ସହ ରାସ୍ତାଘାଟ, ପାନୀୟ ଜଳ, ନୂଆ ଡାକ୍ତରଖାନା, ଅନ୍ୟ ଉନ୍ନୟନ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ।
ଏହାକୁ ଭଣ୍ଡୁର କରିବା ପାଇଁ ମାଓବାଦୀଙ୍କ ଉଦ୍ଦେଶ୍ୟ । ଆସନ୍ତୁ ସମସ୍ତେ ମିଶି ମାଓବାଦୀଙ୍କ ଏହି ହୀନ ଚକ୍ରାନ୍ତକୁ ବିରୋଧ କରିବା ସହ ପୋଲିସ ଓ ରାଜ୍ୟ ସରକାରଙ୍କୁ ସହଯୋଗ କରି ଆମ ଅଞ୍ଚଳର ବିକାଶକୁ ଅଗ୍ରଗତି କରାଇବା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ