ମାଲକାନଗିରି: ରୋଗୀଣା ମା’ଙ୍କୁ ଟ୍ରଲିରେ ଧରି ଜିଲ୍ଲାପାଳଙ୍କ ପାଖକୁ ଚାଲିଲା ପୁଅ । ମାଲକାନଗିରି ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବିଦ୍ୟୁତ ବିଲ ଦେବା ପରେ ମଧ୍ୟ ଘରୁ ବିଦ୍ୟୁତ ସଂଯୋଗ କାଟିଛି ଟାଟା କମ୍ପାନୀ । ଯାହା ଫଳରେ ରୋଗୀଣା ମା’ ଯିଏ କି ଫ୍ୟାନ ଓ ଅକ୍ସିଜେନ ବିନା ରହି ପାରିବେନି, ସେ ବିଛଣାରେ ପଡି ହନ୍ତସନ୍ତ ହେଉଛନ୍ତି । ତେଣୁ, ରବିବାର ଅଭିନବ ଉପାୟରେ ମା’ଙ୍କୁ ଟ୍ରଲିରେ ଧରି ଜିଲ୍ଲାପାଳଙ୍କ ଅଫିସ ବାହାରିଥିଲେ । ହେଲେ ଅଧାରାସ୍ତାରେ ପୋଲିସ ଅଟକାଇ ରୋଗୀଣା ମା’ଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଇଛି ।
ମାଲକାନଗିରି ଏମଭି ୪୧ ଗାଁର ଦିପକ ଦେ’ଙ୍କ ଘରେ ଶଯ୍ୟାଶାୟୀ ବୁଢୀ ମା’ ଶ୍ୱାସରୋଗରେ ପୀଡିତ । ତାଙ୍କୁ ବଞ୍ଚିବା ପାଇଁ ଘଣ୍ଟା ଘଣ୍ଟା ଲେବୁଲାଇଜର ସହ କୁଲର ଓ ଫ୍ୟାନର ଆବଶ୍ୟକତା ରହିଛି । ହେଲେ ଟାଟା କମ୍ପାନୀର କର୍ମଚାରୀ ମାନେ ଅନ୍ଧାର ରାତିରେ ଆସି ବିଦ୍ୟୁତ କାଟି ଦେଲେ । ଆଉ ବିଦ୍ୟୁତ କାଟିବା ସମୟରେ ଟ୍ରାନ୍ସଫର୍ମର ନିକଟରେ ଥିବା ମକା ବାଡକୁ ନଷ୍ଟ କରି ଦେଇଥିଲେ । ଆଉ ଏ ସମ୍ବନ୍ଧରେ ତାଙ୍କୁ ପଚାରିବାରୁ ଟାଟା କମ୍ପାନୀର କର୍ମଚାରୀ ମାନେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଦୀପକ ଦେଙ୍କ ସ୍ତ୍ରୀ ନାଁରେ ବିଦ୍ୟୁତ ସଂଯୋଗ ରହିଛି । ଗତ ୧୬ ତାରିଖ ଦିନ ୬୪୩ ଟଙ୍କା ବିଲ ପ୍ରଦାନ କରାଯାଇଥିବା ବେଳେ ସାଙ୍ଗେ ସାଙ୍ଗେ ୭୦୦ ଟଙ୍କା ପୈଠ କରିଥିଲେ ସ୍ୱାମୀ ଦୀପକ ।
ସେହିପରି ଉଠା ଜଳସେଚନ ବାବଦକୁ ୨୧ ହଜାର ୩୯୨ ଟଙ୍କା ବିଲ ପ୍ରଦାନ କରାଯାଇଥିବା ବେଳେ ଗତ ୯ ସେପ୍ଟେମ୍ବରରେ ୭ ହଜାର ଟଙ୍କା ପୈଠ ହୋଇଥିଲା । ତେବେ କାହିଁକି ଘରର ବିଦ୍ୟୁତ ସଂଯୋଗ କାଟି ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି । ଦୀପକ ଦେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଓଲଟା ଟାଟା କମ୍ପାନୀ ୨୦ ହଜାର ଟଙ୍କା ଫେରାଇବା କଥା । କାରଣ ମାସକୁ ୪୧ ଟଙ୍କା ବିଦ୍ୟୁତ ବିଲ ଆସୁଥିବା ବେଳେ ସେ ହିସାବରେ ବର୍ଷକୁ ୪୯୨ଟଙ୍କା ଓ ଆଜିକୁ ୧୨ ବର୍ଷ ହେବ ବିଦ୍ୟୁତ ସଂଯୋଗୀ କରଣ ହୋଇଛି ଅର୍ଥାତ ୫୯୦୪ ଟଙ୍କା ହେଉଛି ବିଦ୍ୟୁତ ଶୁଳ୍କ । ଏପଟେ ପ୍ରଥମେ ୭୦୦୦ ଓ ପରେ ୨୦୦୦୦ ଟଙ୍କା ବିଦ୍ୟୁତ ବିଲ ବାନ୍ଧି ସାରିଛନ୍ତି ଦୀପକ । ତେଣୁ, ସେ ଚାହୁଁଛନ୍ତି ତାଙ୍କୁ ବଳକା ୨୧ ହଜାର ଟଙ୍କା ଫେରସ୍ତ କରାଯାଉ । ଅଭିଯୋଗ ଜଣାଇ ଜଣାଇ ନୟାନ୍ତ ହେଲା ପରେ ଏଭଳି ପ୍ରତିବାଦ କରିଥିବା କହିଛନ୍ତି ଦୀପକ ।
ବିଦ୍ୟୁତ ବିଭାଗ ତରଫରୁ କୁହାଯାଇଛି ଯେ, ଦୀପକ ଦେଙ୍କ ଘରୁ ବିଦ୍ୟୁତ ସଂଯୋଗ କଟାଯାଇନାହିଁ, ଉଠା ଜଳସେଚନରୁ ବିଦ୍ୟୁତ ସଂଯୋଗ କଟାଯାଇଥିଲା କିନ୍ତୁ ତାଙ୍କର ସେହି ଉଠା ଜଳ ସେଚନରୁ ବିଦ୍ୟୁତ ସଂଯୋଗ କରାଯାଇଥିଲା । ତାହାମଧ୍ୟ ପାଖାପାଖି ୨୧୯୩୧ ଟଙ୍କା ବକେୟା ରହିଥିଲା।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ