ମାଲକାନଗିରି: ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଗିରଫ ଦାବିରେ ଆସନ୍ତାକାଲି(ଶୁକ୍ରବାର) ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଏହି ବନ୍ଦ ପାଳିବ କଂଗ୍ରେସ । ସେପଟେ ଏହାକୁ ଶସ୍ତା ରାଜନୀତି କହି ବିରୋଧ କରିଛି ମାଲକାନଗିରି ଜିଲ୍ଲା କୋୟା ଆଦିବାସୀ ସମାଜ । ଏହାସହ ଜିଲ୍ଲାପାଳଙ୍କ ସପକ୍ଷରେ ଦୁଇ ହଜାର ଆଦିବାସୀଙ୍କୁ ନେଇ ରାଲି କରାଯିବ ବୋଲି ଆଦିବାସୀ ସଂଘ କହିଛି ।
ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ କଂଗ୍ରେସ ଦାୟୀ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରୁଛି ଦଳ । ଏନେଇ ପୂର୍ବରୁ ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇ ଥିବାବେଳେ ଆସନ୍ତାକାଲି ମାଲକାନଗିରି ବନ୍ଦ ଡାକରା ଦେଇଛି ।
ଜିଲ୍ଲାପାଳଙ୍କ ଦୁର୍ନୀତି ସମ୍ପର୍କରେ ବ୍ୟକ୍ତିଗତ ସହାୟକ ସବୁ ଜାଣିଥିବାରୁ ତାଙ୍କୁ ମାନସିକ ଚାପ ଦିଆଯାଇଛି । ଫଳରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଇ ଜିଲ୍ଲାପାଳଙ୍କ ଗିରଫ ଦାବି କରୁଛି କଂଗ୍ରେସ । ଏନେଇ ଗତ 6 ତାରିଖ ଦିନ ମାଲକାନଗିରି ଥାନା ଘେରାଉ କରିବା ସହ ଜିଲ୍ଲାପାଳଙ୍କ ବିରୋଧରେ ଏତଲା ଦେଇଥିଲା ଦଳ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଶୁକ୍ରବାର କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଛି ।
ଅନ୍ୟପଟେ ଏହି ବନ୍ଦକୁ ଶସ୍ତା ରାଜନୀତି କହି ଜିଲ୍ଲାପାଳଙ୍କ ସପକ୍ଷରେ ବାହାରିଛି କୋୟା ଆଦିବାସୀ ସମାଜ । କଂଗ୍ରେସ ନେତା ପ୍ରଦୀପ ମାଝୀ ଏହି ପ୍ରସଙ୍ଗରେ ଶସ୍ତା ରାଜନୀତି କରୁଥିବା କହିଛନ୍ତି କୋୟା ଆଦିବାସୀ ନେତା ଆଡମା ରାବା ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ