ମାଲକାନଗିରି: ଯୁଗ ବଦଳିଛି ଆଉ ବଦଳିଛି ସଭ୍ୟତା, ହେଲେ ମାଲକାନଗିରି ଜିଲ୍ଲାର ଆଦିବାସୀ ଲୋକେ ଆଜି ମଧ୍ୟ ସେହି ପୁରୁଣା ପରମ୍ପରାକୁ ଭୁଲି ପାରି ନାହାନ୍ତି । ଜଙ୍ଗଲକୁ ଯାଇ ମହୁଲ ଫୁଲ ସଂଗ୍ରହ କରି ନିଜର ଜୀବିକା ଅର୍ଜନ କରିବା ହେଉଛି ଆଦିବାସୀଙ୍କ ଏକ ପରମ୍ପରା । ନିଜର ଆବଶ୍ୟକୀୟ ସାମଗ୍ରୀ ଲାଗି ଆଦିବାସୀ ଲୋକେ ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅଦଳ ବଦଳ ପ୍ରଥା ଉପରେ ବିଶ୍ବାସ କରନ୍ତି ।
ଖରା ଦିନ ଆସିଲେ ଜିଲ୍ଲାର କୋୟା, ପରଜା ଓ ଡିଡାଇ ଆଦିବାସି ଲୋକେ ପାହାଡ ଜଙ୍ଗଲକୁ ବାହାରି ଯାଆନ୍ତି ମହୁଲ ଫୁଲ ସଂଗ୍ରହ କରିବା ଲାଗି । ପାହାନ୍ତି ପହରରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଆଦିବାସୀମାନେ ଜଙ୍ଗଲରୁ ମହୁଲ ଫୁଲ ଗୋଟାଇ ଥାଆନ୍ତି । ପରେ ଏହାକୁ ଭାରରେ ବୋହି ନିଜ ନିଜ ଘରକୁ ନେଇ ଖରାରେ ଶୁଖାନ୍ତି ସେମାନେ । ମହୁଲ ଫୁଲ ଦୁଇ ତିନି ଦିନ ଖରାରେ ଶୁଖିବା ପରେ ଏହାର ରଙ୍ଗ ସବୁଜରୁ ନାଲି ହୋଇ ଏହା ବିକ୍ରି ଉପଯୋଗୀ ହୋଇଯାଏ । ହାଟ ବଜାରରେ କିଲୋ ପିଛା ୫ରୁ୧୦ ଟଙ୍କା ଦରରେ ମହୁଲ ବିକ୍ରି କରି ଆଦିବାସୀ ଲୋକେ ନିଜର ଜୀବିକା ଅର୍ଜନ କରନ୍ତି । କେଉଁ ଆଦିମ କାଳରୁ ଆଦିବାସୀମାନେ ମହୁଲ ଉପରେ ନିର୍ଭର କରିଆସୁଛନ୍ତି କିନ୍ତୁ ଏହାର ଉଚିତ ମୁଲ୍ୟ ଏପର୍ଯ୍ୟନ୍ତ ମିଳିନାହିଁ ସେମାନଙ୍କୁ ।
ନିଜର ଆବଶ୍ୟକୀୟ ସାମଗ୍ରୀ ଲାଗି ଆଦିବାସୀ ଲୋକେ ଆଜି ପର୍ଯ୍ୟନ୍ତ ଅଦଳ ବଦଳ ପ୍ରଥା ଉପରେ ହିଁ ବିଶ୍ବାସ କରନ୍ତି । ମହୁଲ ବଦଳରେ କିଛି ପରିବା ମିଳିଗଲେ ବାସ, ସେତିକିରେ ସେମାନେ ଖୁସି । କାରଣ ସେମାନେ ଜାଣନ୍ତି ନାହି ବଜାରରେ କାହାର ଦାମ କେତେ । ଏହି ସମ୍ବନ୍ଧରେ ଆଦିବାସୀ ସଂଘ ନେତା ସନୁ ଅନଙ୍ଗୁ କହନ୍ତି ଯଦି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଆଦିବାସୀଙ୍କ ପାଇଁ କୌଣସି ସାପ୍ତାହିକ ହାଟ କିମ୍ବା ମଣ୍ଡି ବ୍ୟବସ୍ତା କରନ୍ତେ ତାହେଲେ ଆଦିବାସୀ ମାନେ ତାଙ୍କ ପରିଶ୍ରମର ଉଚିତ ମୂଲ୍ୟ ପାଇ ପାରନ୍ତେ ।
ପାହାଡ ଜଙ୍ଗଲରେ ମହୁଲ ବାସିଲେ ଆଦିବାସୀଙ୍କ ମୁହଁରେ ହସ ଫୁଟେ । ହସବାସର ଏହି ମହୁଲ ଫୁଲ ଭିତରେ ହିଁ ଆଦିବାସୀ ଲୋକେ ସାଉଁଟି ନେଇଛନ୍ତି ନିଜର ଜୀବନ ଜୀବିକାକୁ । ମହୁଲ ଫୁଲ ସଂଗ୍ରହ କରି ଆଦିବାସୀମାନେ ଅତି କଷ୍ଟରେ ନିଜର ଜୀବିକା ଅର୍ଜନ କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସରକାରଙ୍କ ମଧ୍ୟ ଦୃଷ୍ଟି ଏମାନଙ୍କ ଉପରେ ପଡିନାହିଁ । ତେଣୁ କରି ବର୍ଷବର୍ଷ ଧରି ଆଦିବାସୀଙ୍କ ଆର୍ଥିକ ଅବସ୍ଥାରେ କୌଣସି ଉନ୍ନତି ଘଟି ନଥିବା କୁହାଯାଉଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ