ମାଲକାନଗିରି: ଆଉ ଭୟ ନାହିଁ କି ଡର ନାହିଁ । ଏଣିକି ପାଠ ପଢିବେ ଆଉ ବଢିବେ ଲାଲଗଡର ଶିଶୁ । ଶୁଭିଲାଣି କୁନି କୁନି ପିଲାଙ୍କ ପାଠ ପଢାର ସ୍ବର । ଆଉ ଏସବୁ ସମ୍ଭବ ହୋଇଛି ମାଲକାନଗିରି ଜିଲ୍ଲାର ‘ମଲାଲା’ କୁସୁମଣିଙ୍କ ପାଇଁ । ନକ୍ସଲଙ୍କ ରାଜଧାନୀ କୁହାଯାଉଥିବା ଜିଲ୍ଲାର ଗୋରାସେତୁ ଗ୍ରାମର ଖସପତି ଖିଲ ଏବଂ ଚନ୍ଦ୍ରମା ଖିଲଙ୍କ ଏକମାତ୍ର ଝିଅ କୁସୁମଣୀ ଖିଲ । ବାଲିମେଳା କଲେଜରେ ଯୁକ୍ତ ତିନିର ତୃତୀୟ ବର୍ଷର ଛାତ୍ରୀ । ହଁ ଇଏ ସେହି ଝିଅ ଯାହାଙ୍କ ସାହସକୁ ପ୍ରଶଂସା କରିଥିଲେ ପୋଲିସ ଡିଜି ଅଭୟ । ମାସକ ତଳେ ଗୋରାସେତୁ ଅଞ୍ଚଳକୁ ପୋଲିସ ଡିଜି ଅଭୟ ଗସ୍ତ କରିଥିବା ସମୟରେ ଏହି ଅଞ୍ଚଳରେ ସୁରକ୍ଷା ଦେଉଥିବାରୁ ଧନ୍ୟବାଦ ଦେବା ସହ ଗ୍ରାମର ସମସ୍ୟା ସଂପର୍କରେ ମଧ୍ୟ ବୁଝିଥିଲେ । ପୋଲିସ ଡିଜି ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଅନୁଯାୟୀ ଡିଜିପି ଅଭୟ ଗ୍ରାମରେ ସ୍କୁଲର ମରାମତି କାମ ଆରମ୍ଭ କରିବା ସହ ନୂତନ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି ।
ଗୋରାସେତୁ ଅଞ୍ଚଳକୁ ନକ୍ସଲ ନିଜର ରାଜଧାନୀ କରିଥିବା ବେଳେ ଅଂଚଳରେ ରହିଥିଲା କୋକୂଆ ଭୟ । ପିଲାମାନେ ସ୍କୁଲ ଏବଂ ଅଙ୍ଗନବାଡି ଯିବାକୁ ଭୟ କରୁଥିଲେ। ଆଉ ପାଠ ପଢିବାକୁ ହେଲେ ହଷ୍ଟେଲରେ ରହି ପଢୁଥିଲେ । ଗାଁରେ ବି ପାଠର କୌଣସି ସୁବିଧା ନଥିଲା । ଏବେ ଧିରେ ଧିରେ ବିଏସଏଫ ଗୋରାସେତୁକୁ ନିଜ କବଜାକୁ ନେବା ପରେ ସ୍ବଚ୍ଛନ୍ଦରେ ଘୁରି ବୁଲି ପାରୁଛନ୍ତି ଏଠାକର ଲୋକେ । ବଦଳୁଛି ସ୍ବାଭିମାନ ଅଞ୍ଚଳର ଚିତ୍ର । ଆଉ ଏହି ଅଞ୍ଚଳର ପିଲାଙ୍କୁ ମଣିଷ କରିବାକୁ ଯେପରି ପଣ କରିଛନ୍ତି କୁସୁମଣି । ଲକଡାଉନରେ ପିଲାଙ୍କୁ ଭଙ୍ଗା ଦଦରା ସ୍କୁଲ ଗୃହରେ ବସାଇ ପାଠ ପଢାଉଛନ୍ତି । କେବଳ ପାଠ ନୁହେଁ ପିଲାଙ୍କୁ ଗୀତ, ନାଚ ସହ ଚିତ୍ରାଙ୍କନ ମଧ୍ୟ ଶିକ୍ଷାଉଛନ୍ତି । ଆଉ ଦିଦିଙ୍କ ପାଠ ପଢାରେ ପିଲାଏ ବି ଖୁସ । କୁସୁମଣିଙ୍କ ପ୍ରଚେଷ୍ଟାରେ ଆଜି ଏଠାରେ ବିକାଶ ଧାରା ଆଗେଇଛି ।
ଜଣେ ଆଦିବାସୀ ଝିଅ ହୋଇ ବି ସ୍ପଷ୍ଟ ଓଡିଆରେ ଭାଷଣ ଦେବା ଏବଂ ପାଠ ପଢାଇବା ଶୈଳୀ ଦେଖିଲେ ଯେ କେହି ବି ଚକିତ ହୋଇଯିବ । ସେଥିପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମାଲାଲା ୟୁସୁଫ ଜାଇଙ୍କ ସହ ତୁଳନା କରାଯାଉଛି । କୁସୁମଣିଙ୍କୁ ଯଦି ପ୍ରଶାସନର ସହଯୋଗ ମିଳିବ ତେବେ ଏହି ଅଞ୍ଚଳ ଆହୁରି ଆଗକୁ ବଢିବ ନିଶ୍ଚୟ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ