ମାଲକାନଗିରି: ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି । ଏ ଭଳି ସ୍ଥିତିରେ ମାଲକାନଗିରି ଜିଲ୍ଲାରେ ଘଟିଛି ଚାଞ୍ଚଲ୍ୟକର ଘଟଣା । କାଲିମେଳା ଜିଲ୍ଲା ପରିଷଦ ଜୋନ 2 ବିଜେପି ପ୍ରାର୍ଥିନୀ ନିଖୋଜ ହୋଇଛନ୍ତି । ଏହାକୁ ନେଇ କାଲିମେଳା ଥାନାରେ ଅଭିଯୋଗ କରିଛି ବିଜେପି।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଜିଲ୍ଲା ପରିଷଦ ଜୋନ 2 ର ପ୍ରାର୍ଥିନୀ ରୀନା କାବାସି ନିଖୋଜ ହେବା ଘଟଣା କାଲିମେଳା ସମେତ ଜିଲ୍ଲାରେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l ରୀନା କାବାସି ନିଖୋଜ ନେଇ ଆଜି କାଲିମେଳା ଥାନାରେ ବିଜେପିର କାଲିମେଳା ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ଜିଲ୍ଲାପରିଷଦ ଜୋନ 2 ବିଜେପି ପ୍ରାର୍ଥି ହୋଇଥିବା କାଲିମେଳା ପଞ୍ଚାୟତ ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମର ରୀନା କବାସି ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଏହା ସହ ପୋଲିସକୁ ନିଖୋଜ ଘଟଣାରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ସେପଟେ ଏହାକୁ ନେଇ ବିଜେପି ଶାସକ ଦଳର ଭୂମିକାକୁ ନେଇ ସନ୍ଦେହ କରୁଛି। ବିଜେଡି ନିର୍ବାଚନ ପୂର୍ବରୁ ହାର ମାନି ଯାଇଥିବା ମତ ଦେଇଛନ୍ତି ବିଜେପି ନେତା ଶ୍ୟାମଲ ସୁନାନୀ ।
ସୂଚନାଥାଉକି ମାଲକାନଗିରିରେ ଜିଲ୍ଲାରେ ଚଳିତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନ ରହିଛନ୍ତି । ଉଭୟ ଦଳ ପଞ୍ଚାୟତ ରଣାଙ୍ଗନରେ ଓହ୍ଲାଇଛନ୍ତି । ଗୋଟିଏ ପଟେ ବିଜେଡିର ସମସ୍ତ ଚାଲକୁ ମୁକାବିଲା କରିବା ପାଇଁ ବିଜେପି ସଜବାଜ ହେଉଥିବାବେଳେ ଏ ଭଳି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିଖୋଜ ଘଟଣା ମାଲକାନଗିରି ଜିଲ୍ଲା ବିଜେପିକୁ ଚିନ୍ତାରେ ପକାଇଛି।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ