ମାଲକାନଗିରି: ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ମାଗଣା ଖାଇବା ଠାରୁ ଆରମ୍ଭ କରି ହଷ୍ଟେଲ ଓ ପୁସ୍ତକ ଆଦି ସରକାର ଯୋଗାଇ ଦେଉଛନ୍ତି ଆଦିବାସୀ ପିଲାଙ୍କୁ । ହେଲେ ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହଷ୍ଟେଲରେ ଠିକ ଭାବେ ଖାଇବାକୁ ନପାଇ ଅଧାରୁ ପାଠ ଛାଡି ଘରକୁ ଫେରିଛନ୍ତି ଅନେକ ପିଲାଏ ।
ସୋମନାଥପୁର ପଞ୍ଚାୟତରେ ଥିବା କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ପିଲାଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ହଷ୍ଟେଲ ଦାୟିତ୍ବରେ ଥିବା ସୁପରିଟେଣ୍ଡେଣ୍ଟ ଅନୂସୟା ସାହୁ କହିଛନ୍ତି ଯେ, ବଡପିଲାଙ୍କ ପାଇଁ ହଷ୍ଟେଲରେ ଖାଦ୍ୟ ନାହିଁ ।
ତେଣୁ ଏଇ କଥା ଶୁଣିବା ପରେ 50ରୁ ଊର୍ଦ୍ଧ୍ବ ପିଲା ହଷ୍ଟେଲ ଛାଡି ଘରକୁ ଫେରି ଯାଇଛନ୍ତି । ସେମାନଙ୍କ ଅଭିଭାବକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏପରି ଆଚରଣ ବିରୁଦ୍ଧରେ ଅଭିଯୋଗ କରିବା ସହ ତାଙ୍କର ବଦଳି ଦାବି କରିଛନ୍ତି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ