ମାଲକାନଗିରି: ଗଞ୍ଜେଇ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଗୃହରକ୍ଷୀ । ଗଞ୍ଜେଇ ବୋଝେଇ ଟ୍ରାକ୍ଟରକୁ ଅଟକାଇବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ଚିତ୍ରକୋଣ୍ଡାର ଗୃହରକ୍ଷୀ ଟୁନା ବୈରାଗୀ ।
ଟ୍ରାକ୍ଟରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଗୁଣ୍ଠାବେଡା ପଞ୍ଚାୟତର କାଙ୍କରପଡା ଛକ ନିକଟରେ ପୋଲିସ ଜଗି ରହିଥିଲେ । ତେବେ ବିପରୀତ ଦିଗରୁ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଆସୁଥିବା ବେଳେ ଗୃହରକ୍ଷୀ ଟୁନା ବୈରାଗୀ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଗାଡିଟି ନ ଅଟକି ଗୃହରକ୍ଷୀଙ୍କ ଉପରେ ମାଡି ଯାଇଥିଲା । ଫଳରେ ଗୃହରକ୍ଷୀଙ୍କର ଅଣ୍ଟା ଭାଙ୍ଗି ଯାଇଥିବାବେଳେ ସେ ଚିତ୍ରକୋଣ୍ଡା ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି।
ସେପଟେ ପୋଲିସ, ଗାଡିଟିକୁ ପିଛା କରିଥିବାବେଳେ ପୋଲିସକୁ ଚକମା ଦେଖାଇ ଟ୍ରାକ୍ଟର ଛାଡି ଫେରାର ହୋଇଯାଇଛି ଚାଳକ । ତେବେ ଗାଡିରୁ ତିନି କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ପୋଲିସ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ