ମାଲକାନଗିରି: ମାଲକାନଗିରି ଜିଲ୍ଲାର ୨୧ଟି ସଡକ ପ୍ରକଳ୍ପ ପାଇଁ ୧୫୮ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୭୨.୫୩ କିଲୋମିଟର ଦୀର୍ଘ ସଡ଼କ ପ୍ରକଳ୍ପ ପାଇଁ ଏହି ବ୍ୟୟବରାଦ କରାଯାଇଛି । ଚିତ୍ରକୋଣ୍ଡା, କାଲିମେଳା, କୋରୁକୁଣ୍ଡା ଏବଂ ପୋଡ଼ିଆ ବ୍ଲକଗୁଡିକ ପାଇଁ ଗ୍ରାମୀଣ ଭିତ୍ତିଭୂମି ଏବଂ ସଂଯୋଗ ଲାଗି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ପ୍ରକଳ୍ପଗୁଡିକ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ଦୁର୍ଗମ ଅଞ୍ଚଳର ଅପହଞ୍ଚ ଗ୍ରାମଗୁଡିକରେ ଯୋଗାଯୋଗ ଅଧୀନରେ କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଏକ ପଥ ପ୍ରଦର୍ଶକ ପଦକ୍ଷେପ ଓ ମାଓ ପ୍ରଭାବିତ ତଥା ଆହ୍ବାନପୂର୍ଣ୍ଣ ଅଞ୍ଚଳରେ ଗ୍ରାମୀଣ ସଂଯୋଗ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ ।
ରାଜ୍ୟରେ ଭିତ୍ତିଭୂମି ବିକାଶ ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚିହ୍ନିତ କରିଛି । ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କ ମାଲକାନଗିରି ଗସ୍ତ ସସୟରେ ଲୋକଙ୍କ ଠାରୁ ମିଳିଥିବା ଅଭିଯୋଗ ଓ ମତାମତକୁ ଆଧାର କରି ଏହି ସଡ଼କ ପ୍ରକଳ୍ପ ଗୁଡିକ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରକଳ୍ପ ଗୁଡିକର ଗୁରୁତ୍ଵ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ୫-ଟି ସଚିବ ସୂଚନା ଦେଇଥିଲେ ଏବଂ ପ୍ରକଳ୍ପଗୁଡିକ ପାଇଁ ଆକଳନ ପ୍ରସ୍ତୁତ କରିବାକୁ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗ ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପର ସର୍ବେକ୍ଷଣ ଏବଂ ଆକଳନ କରି ସରକାରୀ ଅନୁମୋଦନ ପାଇଁ ଦାଖଲ କରାଯାଇଥିଲା ।
ତେବେ ଏହି ରାସ୍ତା ନିର୍ମାଣର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଚିତ୍ରକୋଣ୍ଡାର ମୁଦୁଲିଗୁଡ଼ା ଠାରୁ ଅମାଲିବେଡ଼ା ପର୍ଯ୍ୟନ୍ତ ୩୦ କୋଟି ଟଙ୍କା ବ୍ୟୟରେ ୩୨ କିଲୋମିଟର ସଡ଼କ ନିର୍ମାଣ ହେବ । ସେହିଭଳି ପୋଲ୍ଲୁର୍ ଠାରୁ କୁର୍ଷନ୍ପାଲ୍ଲୀ ପର୍ଯ୍ୟନ୍ତ ୯ କୋଟି ଟଙ୍କା ବ୍ୟୟରେ ୧୧ କିଲୋମିଟରରୁ ଅଧିକ ସଡ଼କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯିବ । ଏହି ସଡ଼କ ପ୍ରକଳ୍ପ ନିର୍ମାଣ ହେଲେ ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଉପକୃତ ହେବେ ।
ପ୍ରକାଶ ଥାଉକି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ଟି ଶିକ୍ଷାସୌଧ ଓ ୨୮ଟି ଛାତ୍ରାବାସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୨୭୬ ଟି ହଷ୍ଟେଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଇଟିଭି ଭାରତ, ମାଲକାନଗିରି