ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ଗୋରାସେତୁରେ ବିଏସଏଫ ପକ୍ଷରୁ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ନକ୍ସଲ ପଥକୁ ଅନୁସରଣ ନକରି ଲୋକଙ୍କୁ କିପରି ମୁଖ୍ୟସ୍ରୋତରେ ସାମିଲ କରାଯିବ ସେନେଇ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମକୁ ବିଏସଏଫର ୯ ବାଟାଲିୟନର କମାଣ୍ଡାଣ୍ଟ ସଂଜୟ କୁମାର ଦାସ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ବିଜୟ କଚ୍ଛପ, ଡେପୁଟି କମାଣ୍ଡାଣ୍ଟ ସୁଭଞ୍ଜନ ମହାପାତ୍ର ସମେତ ଭୁବନେଶ୍ବରରୁ ଆସିଥିବା ଛପନ ଭୋଗର ସତ୍ୟବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ । ଏଥିରେ ଗୋରାସେତୁ ଗ୍ରାମ ସମେତ ପଣସପୁଟ, ପଲସପଦର, ଘୁସୁମପଦର,ଲାଉଗୁଡା ବେଜିଂ, ସିନ୍ଧିପୁଟ, ଯଡାମ୍ବ ସମେତ ବହୁ ଗ୍ରାମର ପ୍ରାୟ ୧୫ ଶହରୁ ଊର୍ଦ୍ଧ୍ବ ମହିଳା ପୁରୁଷ ଏକତ୍ରିତ ହୋଇଥିଲେ । ଆୟୋଜିତ ଏକ ସାଧାରଣ ସଭାରେ ଉପସ୍ଥିତ ଅତିଥିମାନେ ଏହି ଅଞ୍ଚଳର ବିକାଶ ନେଇ ଆଲୋଚନା କରିଥିଲେ । ସାଧାରଣ ଲୋକେ ନକ୍ସଲ ପଥ ଅନୁସରଣ ନକରି ମୁଖ୍ୟସ୍ରୋତରେ ସାମିଲ ହୋଇ କିପରି ନିଜ ଜୀବନକୁ ସୁଖ ସମୃଦ୍ଧିରେ ଭରିଦେବେ ସେନେଇ ପରାମର୍ଶ ଦିଆଯାଇଥିଲା ।
ଯବାନ ଏବଂ ଭୁବନେଶ୍ବରରୁ ଆସିଥିବା ଛପନ ଭୋଗର ସଦସ୍ୟମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଆଲୋଚନା କରିଥିଲେ । ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କୁ ବିଏସଏଫ ଏବଂ ଛପନ ଭୋଗ ପକ୍ଷରୁ ପୋଷାକ, ଆସବାବ ସାମଗ୍ରୀ, ସିଲେଇ ମେସିନ, କମ୍ବଳ, ଛତା, ଦୈନନ୍ଦିନ ସାମଗ୍ରୀ ସମେତ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା । ପିଲାଙ୍କୁ ସ୍କୁଲ ବ୍ୟାଗ, ବହି, କଲମ ଏବଂ ଖାତା ମଧ୍ୟ ପ୍ରଦାନ କରାଯାଇଥିଲା । ବିଏସଏଫ ଯବାନ ଏହି ଅଞ୍ଚଳରେ ଅବସ୍ଥାପିତ ହେବା ପରେ ଲୋକଙ୍କ ସହ ଜଡିତ ହୋଇ ନକ୍ସଲମୁକ୍ତ କରିବାରେ ସଫଳ ହୋଇଥିଲେ । ଲୋକେ ମଧ୍ୟ ବିଏସଏଫ ଯବାନଙ୍କୁ ବିଶ୍ବାସକୁ ନେଇ ସମସ୍ତ ସହଯୋଗ କରିଥିଲେ । ଆଗକୁ ଉକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଯବାନଙ୍କୁ ସହଯୋଗ କରିବେ ବୋଲି ଗ୍ରାମବାସୀ ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ମାଲକାନଗିରି