ମାଲକାନଗିରି: ଚାକିରି ଦେବା ନାଁରେ ୨୧ ଲକ୍ଷ ଲୁଟ । ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରୁ ଏପରି ଠକାମୀର ଶିକାର ହୋଇଛନ୍ତି ୪ ଶିକ୍ଷିତ ଯୁବକ ଏବଂ ଜଣେ ମହିଳା । ସରକାରୀ ପଦ ପଦବୀରେ ରହିବାକୁ ଯୋଜନା ରଖି ମନରେ ବିଶ୍ବାସ ଜନ୍ମାଇ ୨୧ ଲକ୍ଷ ଚଳୁ କରିଦେଲା ଠକ । ସେପଟେ ସଂପୃକ୍ତ ଠକକୁ ଧରିବାରେ ମଧ୍ୟ ସକ୍ଷମ ହୋଇଛି ପୋଲିସ ।

ସୂଚନା ଅନୁସାରେ, ଠକ ଜଣକ ହେଲେ ବାଲେଶ୍ବରର ଗେଙ୍ଗୁଟି ଅଞ୍ଚଳର ଚିନ୍ମୟ ମହାପାତ୍ର । ଭୁବନେଶ୍ବର ସ୍ଥିତ ଓଏସଏ ନିକଟରୁ ତାଙ୍କୁ ଗିରଫ କରାଯାଇଛି । ମାଥିଲି ଅଞ୍ଚଳର କିଛି ଯୁବକ ଓ ଜଣେ ମହିଳାଙ୍କୁ ଏଫସିଆଇ, ବିଏସଏସଓ, ଏସଆଇ, କିରାଣୀ ଏବଂ ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ କରାଇ ଦେବାକୁ ପୃଥକ ପୃଥକ ଭାବେ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଲୁଟି ଥିଲା ଠକ । ଠକର ପ୍ରରୋଚନାରେ ପଡି ଲକ୍ଷ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସର ସ୍ବତନ୍ତ୍ର ଟିମ ଭୁବନେଶ୍ବରରୁ ଉକ୍ତ ଠକକୁ ଧରିବାରେ ସକ୍ଷମ ହୋଇଛି । ମାମଲା ଦାୟର ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ ମଧ୍ୟ କରିଛି ମାଥିଲି ପୋଲିସ ।
ଇଟିଭି ଭାରତ, ମାଲକାନଗିରି