ମାଲକାନଗିରି: ବିଏସଏଫ ଆଇଜି ସତିଶ ଚନ୍ଦ୍ର ବୁଦାକୋଟି ତିନି ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ ସାରି ରବିବାର ଦିନ ଫେରିଛନ୍ତି । ଆଇଜି ମାଓ ପ୍ରବଣ ଅଞ୍ଚଳର ବିଏସଏମ୍ପ କ୍ୟାମ୍ପ ପରିଦର୍ଶନ କରି ମାଓ ସମସ୍ୟା ଓ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଜିଲ୍ଲାର ବିଭିନ୍ନ ବିଏସଏଫ କ୍ୟାମ୍ପ ବୁଲିଥିଲେ । ବିଏସଏଫ ଯବାନମାନଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ସୈନିକ ସମ୍ମିଳନୀରେ ଯୋଗ ଦେଇ ମାଓ ଦମନ କ୍ଷେତ୍ରରେ ସେମାନଙ୍କର ଭୂମିକାକୁ ପ୍ରସଂଶା କରିଥିଲେ ।

ଏହାସହିତ ପୋଲିସ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ବର୍ତ୍ତମାନର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ସେ ଏହି ତିନି ଦିନିଆ ଗସ୍ତ ସମୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ । ଆଇଜି ବୁଦାକୋଟି ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମଗ୍ରାମ ପରିଦର୍ଶନ କରିଥିଲେ । ସେଠାରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ସହିଦ ଲକ୍ଷ୍ମଣ ନାୟକଙ୍କ ପରିବାରକୁ ସମ୍ମାନିତ କରିଥିଲେ ।

ଏହି ତିନି ଦିନିଆ ଗସ୍ତ ସମୟରେ ବିଏସଏଫ ଆଇଜି ସତିଶ ଚନ୍ଦ୍ର ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ । ଜିଲ୍ଲା ପ୍ରଶାସନ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବେଳେ ସମସ୍ତେ ମିଶିଲେ ଏହାଦୂର ହୋଇପାରିବ ବୋଲି ପ୍ରକାଶ କରିଥିଲେ ଆଇଜି । ମାଲକାନଗିରି ଗସ୍ତ ସମୟରେ ବିଏସଏଫ ଡିଆଇଜି ଏ.କେ ଶର୍ମା ଓ ମାଲକାନଗିରି ବିଏସଏଫ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି