ମାଲକାନଗିରି: ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଛି । ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବେ ମାଓବାଦୀ । ଏନେଇ ମାଓବାଦୀ ଗାଁ ଗାଁରେ ସହିଦ ସ୍ତମ୍ବ ନିର୍ମାଣ କରିବେ । ରାସ୍ତାଘାଟ ପୋଷ୍ଟର ବ୍ୟାନର ଲଗାଇ ଲୋକଙ୍କୁ ଭୟଭୀତ କରାଇବେ । ଏପରିକି ବଡ଼ ଧରଣର ହିଂସାକାଣ୍ଡ ଘଟାଇବାର ଆଶଙ୍କା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରିର ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିଯୋଗୁଁ ମାଲକାନଗିରି ଛତିଶଗଡ଼ ସୀମା ସିଲ୍ କରିଛନ୍ତି ସୁରକ୍ଷାକର୍ମୀ । ଅଜଣା ବ୍ୟକ୍ତିଙ୍କୁ ଦେଖିଲା ମାତ୍ରେ ତାଙ୍କ ପରିଚୟପତ୍ର ମଗାଯିବା ସହ ସବିଶେଷ ବିବରଣୀ ରଖାଯାଉଛି ।
ସୀମାକୁ ସିଲ୍ କରିବା ସହ ନକ୍ସଲ ଗତିବିଧି ଉପରେ ନଜର ରଖିଛି ପୋଲିସ । ଏଥିସହ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାରା ଜିଲ୍ଲା ସେନା ଛାଉଣୀରେ ପରିଣତ ହୋଇଛି । ସହିଦ ସପ୍ତାହରେ ସ୍ବାଭିମାନ ଅଞ୍ଚଳରେ କୌଣସି ହିଂସାକାଣ୍ଡ ଘଟାଇବା ମାଓବାଦୀଙ୍କ ପାଇଁ ସହଜ ହେବନାହିଁ । ଏକ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାରେ ସମସ୍ତ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । DVF, SOG ଯବାନ କୁମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି ।
ପୂର୍ବରୁ ସହିଦ ସପ୍ତାହ ବେଳେ ମାଓବାଦୀ ଅନେକ ହିଂସାକାଣ୍ଡ ଘଟାଇଥିବା ନଜିର ରହିଛି । ଏଣୁ ପୋଲିସ ସତର୍କତାର ସହ କାର୍ଯ୍ୟ କରୁଛି । କୌଣସି ଅଧିକାରୀଙ୍କୁ ଆଭ୍ୟନ୍ତରୀଣ ଅଞ୍ଚଳକୁ ନଯିବାକୁ କୁହାଯାଇଛି । ଅପରପକ୍ଷରେ ସହିଦ ସପ୍ତାହ ପୂର୍ବରୁ ନକ୍ସଲଙ୍କୁ ଲାଗିଛି ବଡ଼ ଝଟକା । ଗତ ଦୁଇଦିନ ତଳେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ହାର୍ଡକୋର ନକ୍ସଲର ମୃତ୍ୟୁ ହୋଇଥିବା ବେଳେ ବହୁ ମାଓ ସାମଗ୍ରୀ ଜବତ ହୋଇଛି ।
ମାଲକାନଗିରି ଏବଂ ଛତିଶଗଡ଼ ସୀମାରେ ମାଓବାଦୀଙ୍କ ପତିଆରା ରହିଛି । ସୀମାନ୍ତ ଗ୍ରାମ ଗୁଡ଼ିକରେ ମାଓବାଦୀ ପହଞ୍ଚି ଲୋକଙ୍କୁ ଏକତ୍ରିତ କରିବେ ବୋଲି ଜଣା ପଡ଼ିଛି । ଆନ୍ଧ୍ର ଓଡ଼ିଶା ବୋର୍ଡର ଡିଭିଜନର ମାଓ ନେତା ଗଣେଶ ଗତ କିଛି ଦିନ ତଳେ ପ୍ରେସ୍ ବିଜ୍ଞପ୍ତି ଏବଂ ଏକ ଅଡିଓ ଟେପ୍ରେ ସହିଦ ସପ୍ତାହ ପାଳନ କରିବାକୁ ଆହ୍ବାନ ଦେଇଥିଲା । ଗ୍ରାମରେ ଲୋକେ ଏକାଠି ହୋଇ ଏହାକୁ ପାଳନ କରିବାକୁ କହିଛି । ଗତ ଜୁଲାଇ ୨୦୨୧ ଠାରୁ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ପ୍ରାୟ ୧୩୦ରୁ ଊର୍ଦ୍ଧ୍ବ ନକ୍ସଲଙ୍କ ଜୀବନ ଯାଇଥିବା ସଂଗଠନ ସ୍ବୀକାର କରିଛି । ଅଡିଓ ଟେପ୍ରେ ସରକାରଙ୍କର ସମାଧାନ ଯୋଜନାକୁ ବିରୋଧ କରିବା ସହ ଗ୍ରୀନ୍ହଣ୍ଟ୍ ଜରିଆରେ ବହୁ ନକ୍ସଲଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି ।
ଇଟିଭି ଭାରତ, ମାଲକାନଗିରି