ମାଲକାନଗିରି: ଠକେଇ ମାମଲାରେ ବିଜେଡି ନେତା ରଞ୍ଜନ ପାଙ୍ଗି ଗିରଫ ଘଟଣା । ରାଜ୍ୟରେ କିଭଳି ଭାବରେ ସରକାରଙ୍କ ସ୍ବଚ୍ଛ ଶାସନ ଚାଲିଛି ସେ ନେଇ ସମ୍ବାଦିକ ସମ୍ମିଳନୀରେ ବଖାଣିଲେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ । ରାଜ୍ୟରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଏଥିସହ ଅପରାଧ ଘଟାଉଥିବା ବ୍ୟକ୍ତିକୁ ସରକାର ପ୍ରଶୟ ଦେଉଛନ୍ତି । ଯାହାଫଳରେ ସେମାନଙ୍କ ନାମରେ ମାମଲା ରହିଥିଲେ ମଧ୍ୟ ପୁଣି ଅପରାଧ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ।
ବିଧାୟକ ଆଦିତ୍ୟ ମାଢ଼ୀ କହିଛନ୍ତି ଯେ,''ଖଇରପୁଟ ବ୍ଲକରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଡକାପଦର ପଞ୍ଚାୟତର ସମିତିସଭ୍ୟ ତଥା ଚିତ୍ରକୁଣ୍ଡା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ଉପ ସଭାପତି ଅକ୍ଷୟ ରଞ୍ଜନ ପାଙ୍ଗି ଅଭିଯୁକ୍ତ ଥିଲେ । ତାଙ୍କୁ ମୁଦୁଲିପଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନାମରେ ପୂର୍ବରୁ ମାମଲା ରହିଥିବା ସତ୍ତ୍ବେ ପୋଲିସ କୌଣସି ପଦକ୍ଷେପ ନେଇ ପାରିନଥିଲା । ଗତ ମାସରେ ୫ଟି ସଚିବ ଭିକେ ପାଣ୍ଡିଆନ ମାଲକାନଗିରି ଜିଲ୍ଲା ଗସ୍ତ ବେଳେ ଅକ୍ଷୟ ରଞ୍ଜନ ତାଙ୍କ ପାଖରେ ରହିବା ସହ ସଚିବଙ୍କ ହାତରେ ରକ୍ଷାସୁତ୍ର ବାନ୍ଧିଥିଲେ । ଶାସକ ଦଳରେ ଅପରାଧିକ ବ୍ୟକ୍ତିକୁ କିଭଳି ପ୍ରଶୟ ଦିଆଯାଉଛି ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡିଛି । ଏହି ଗୋଟିଏ ସ୍ଥାନରେ ନୁହେଁ ଶାସକ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଫଟୋଚିତ୍ର ମଧ୍ୟ ରହିଥିବା କହିଛନ୍ତି ମାଲକାନଗିରି ବିଧାୟକ । ''
ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ଅକ୍ଷୟ ରଞ୍ଜନ ନୁହନ୍ତି ବହୁ ତୁଙ୍ଗ ନେତା ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତି ରହିଛନ୍ତି । କିନ୍ତୁ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପ୍ରଶୟ ଦେଉଛନ୍ତି । ଏଭଳି ଅପରାଧିକ ବ୍ୟକ୍ତି ଉପରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ତେବେ ଆନ୍ଦୋଳନ କରାଯିବ । ଏଥିସହ ଆସନ୍ତା ଦିନରେ ସତ୍ୟାଗ୍ରହ ଓ ବିକ୍ଷୋଭ ପଦର୍ଶନ କରାଯିବ ବୋଲି ବିଧାୟକ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ଏସଟି ମୋର୍ଚ୍ଚା ସାଧାରଣ ସମ୍ପାଦକ ନରସିଂହ ମାଡକାମି ଓ ପୂର୍ବତନ ଜିଲ୍ଲା ସଭାପତି ଗୁରୁ ଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଠକେଇ ମାମଲାରେ ବିଜେଡି ନେତା ରଞ୍ଜନ ପାଙ୍ଗିଙ୍କୁ ପୋଲିସ ଗିରଫ କରିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ଉପ ସଭାପତି ତଥା ମାଡକାପଦର ସମିତି ସଭ୍ୟ ହେଉଛନ୍ତି ଅକ୍ଷୟ ରଞ୍ଜନ ପାଙ୍ଗି । ମୁଦୁଲିପଡ଼ା ପୋଲିସ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଛି ।
ଇଟିଭି ଭାରତ, ମାଲକାନଗିରି