ମାଲକାନଗିରି: ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ ଏବଂ ୧୩ ଜଣଙ୍କ ନାମରେ ମାମଲା ରୁଜୁ । ସୂଚନାମୁତାବକ, ଗତ ୨୮ ତାରିଖ ରାତି ପ୍ରାୟ ୧୧ଟା ସମୟରେ ମାଲକାନଗିରି ଥାନା ଅନ୍ତର୍ଗତ ନାମକୋଣ୍ଡା ଗ୍ରାମରେ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ୧୬ ଜଣ ବନ କର୍ମଚାରୀ ବଜ୍ରକାପ୍ତା ଜବତ କରିବା ପାଇଁ ଚଢାଉ କରିଥିଲେ। ତେବେ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଏକତ୍ରିତ ହୋଇ ଆକ୍ରମଣ କରିବା ଫଳରେ ୮ ଜଣ ବନ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାରେ ବନ ବିଭାଗ ୩ ଜଣକୁ ଗିରଫ କରି ପୁଲିସକୁ ହସ୍ତାନ୍ତର କରିଥିବା ବେଳେ ୧୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଆଇତା ସୋଡି, ବିଜେ ସୋଡି ଏବଂ ମୁୟେ କାବାସି। ଏମାନଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି। ସେହିପରି ମାମଲା ରୁଜ୍ଜୁ କରାଯାଇଥିବା ୧୩ ଜଣ ହେଲେ ଦେବା କାବାସି, କୋନା କାବାସି, ମୁୟେ ବାଞ୍ଜାମି, ସୋମା ସୋଡି, ମୁୟେ ମାଡକାମୀ, ବାଣ୍ଡି ସୋଡି, ସୋମା କାବାସି, ଆଡମା ସୋଡି, ଗଙ୍ଗା ମାଡକାମୀ, ଗଙ୍ଗା ପଡିଆମି, କୁଞ୍ଜ ମାଢି, ଦେବା ମାଢି ଏବଂ ରାଜା ମାଢି ରହିଛନ୍ତି।
ପ୍ରକାଶ ଥାଉକି, ପିସିସିଏଫ ଭୁବନେଶ୍ବର କାର୍ଯ୍ୟାଳୟରୁ ମାଲକାନଗିରି ବନାଞ୍ଚଳ ଅଧିକାରୀଙ୍କୁ ନାମକୋଣ୍ଡା ଗ୍ରାମରେ ବଜ୍ରକାପ୍ତା ବେପାର କରାଯାଉଥିବା ନେଇ ଖବର ଦିଆଯାଇଥିବା ବେଳେ ରେଞ୍ଜର ଶ୍ରୀ ନାୟକଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା । ତେବେ ଚଢାଉ ବେଳେ ଗ୍ରାମର ପଚାଶରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଏକତ୍ରିତ ହୋଇ ବନ କର୍ମଚାରୀଙ୍କୁ ପଥର ଓ ଠେଙ୍ଗାରେ ଆକ୍ରମଣ କରିଥିଲେ । ଯାଦ୍ବାରା ରେଞ୍ଜର ବାସୁଦେବ ନାୟକ ସମେତ ୮ ଜଣ ଆହତ ହୋଇଥିଲେ । ଫଳରେ ବନ କର୍ମଚାରୀ ବଜ୍ରକାପ୍ତାକୁ ଛାଡିବାକୁ ବାଧ୍ୟ ହୋଇଥିଲା। ଏବେ ସୁଦ୍ଧା ବଜ୍ରକାପ୍ତା ଉଦ୍ଧାର କରାଯାଇ ପାରି ନ ଥିବା ବେଳେ ପୁଲିସ ଏବଂ ବନ ବିଭାଗ କର୍ମଚାରୀ ବଜ୍ରକାପ୍ତାକୁ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ