ମାଲକାନଗିରି: 5 ବର୍ଷ ତଳୁ ନିଖୋଜ ଥିବା ନିଜର ଏକ ମାତ୍ର ପୁଅକୁ ଭିଡିଓ କଲ ମାଧ୍ୟମରେ ଦେଖିପାରିଛନ୍ତି ମାଲକାନଗିରିର କେ ରବିଚନ୍ଦ୍ରନ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ରେଡକ୍ରସ ସହାୟତାରେ ବାପା-ପୁଅ ପରସ୍ପରକୁ ଭିଡିଓ କଲରେ ଚିହ୍ନିବା ସହ କଥାବାର୍ତ୍ତା ହୋଇଛନ୍ତି । 2014 ମସିହା ପରେ ପୁଅକୁ ଭିଡିଓ କଲରେ ଦେଖିବା ସହ ସେ ନେଦରଲ୍ୟାଣ୍ଡରେ ଆଇନ ପାଠ ପଢୁଥିବା ଜାଣିପାରିଛନ୍ତି ।
ସୂଚନା ଅନୁଯାୟୀ, 1990 ମସିହାରେ ଶ୍ରୀଲଙ୍କାରେ ଗୃହଯୁଦ୍ଧ ସମୟରେ ଦେଶ ଛାଡି ଭାରତ ଆସିଥିଲେ ହଜାର ହଜାର ତାମିଲ ଶରଣାର୍ଥୀ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମାଲକାନଗିରି ଜିଲ୍ଲାରେ ଥଇଥାନ କରିଥିଲେ ତତ୍କାଳୀନ ସରକାର । ସେହି ସମୟରେ କେ. ରବିଚନ୍ଦ୍ରନ ଶ୍ରୀଲଙ୍କାରୁ ମାଲକାନଗିରି ଆସିଥିଲେ । ହେଲେ 1993 ମସିହାରେ ନିଜ ସ୍ତ୍ରୀର ମୃତ୍ୟୁ ପରେ ପୁଅକୁ ସାଥିରେ ନେଇ ଚେନ୍ନାଇକୁ କାମ କରିବା ପାଇଁ ଯାଇଥିଲେ ସେ । ନିଜେ ଶ୍ରମିକ ଭାବେ କାମ କରିବା ସମୟରେ ପୁଅକୁ ଏକ ମିସନାରୀ ସ୍କୁଲରେ ପାଠ ପଢିବା ଲାଗି ଛାଡିଥିଲେ । ହେଲେ 2013 ମସିହାରେ ରବିଚନ୍ଦ୍ରନ ଚେନ୍ନାଇରୁ ନିଜ ଜନ୍ମମାଟି ଶ୍ରୀଲଙ୍କା ଚାଲି ଯାଇଥିଲେ । ସେଠାରୁ 2014 ମସିହାରେ ଫେରିବା ପରେ ତାଙ୍କ ପୁଅ ସିଗିଆନ କିନ୍ତୁ ଆଉ ସେହି ବିଦ୍ୟାଳୟରେ ନଥିବା ଜାଣିବାକୁ ପାଇଥିଲେ । ବହୁ ଖୋଜାଖୋଜି କରି ମଧ୍ୟ ପୁଅକୁ ନପାଇ ଅତି ଦୟନୀୟ ଅବସ୍ଥାରେ ସେଠାରେ ସେ ରହିଥିଲେ । ପରେ ମାଲକାନଗିରିର ତାମିଲ ନେତା କେ. ପ୍ରଭା ଚେନ୍ନାଇ ଯାଇଥିବାବେଳେ ରବିଚନ୍ଦ୍ରନଙ୍କୁ ପୁଣି ଥରେ ମାଲକାନଗିରି ଫେରାଇ ଆଣିଥିଲେ । ସେବେଠୁ ନିଜ ପୁଅର କୌଣସି ଖୋଜଖବର ପାଇ ନଥିଲେ ରବିଚନ୍ଦ୍ରନ ।
ସେପଟେ ଚେନ୍ନାଇରୁ ନେଦରଲାଣ୍ଡ ଯାଇ ସେଠାରେ ଆଇନ ପାଠ ପଢୁଥିବା ପୁଅ ସିଗିଆନ ବି ବାପାଙ୍କ କୌଣସି ଖୋଜ ଖବର ନ ପାଇ ଦିଲ୍ଲୀ ରେଡକ୍ରସକୁ ଏକ ମେଲ କରିଥିଲେ । ଦିଲ୍ଲୀ ରେଡକ୍ରସ ଓଡିଶା ସମେତ ତାମିଲ ଶରଣାର୍ଥୀ ରହୁଥିବା ଅନେକ ରାଜ୍ୟକୁ ଏହି ଇମେଲ ପଠାଇଥିଲା । ତେବେ ମାଲକାନଗିରି ଜିଲ୍ଲାରେ ମେଲ ପହଞ୍ଚିବା ପରେ ରେଡକ୍ରସର ସଂଯୋଜକ କେ.ରବିଚନ୍ଦ୍ରନଙ୍କୁ ଠାବ କରିଥିଲେ । ପରେ ଆଇନ ଦିଗକୁ ତର୍ଜମା କରି ତାଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିକଟକୁ ଆଣିଥିଲେ । ସେଠାରେ ଆଇନ ସେବା ପ୍ରାଧିକରଣର ସଚିବଙ୍କ ସହାୟତାରେ ରବି ଚନ୍ଦ୍ରନ ନିଜ ପୁଅ ସହ ଭିଡିଓ କଲ ମାଧ୍ୟମରେ କଥା ହୋଇ ପରସ୍ପରକୁ ଚିହ୍ନିଥିଲେ ।
ଦୀର୍ଘ 5 ବର୍ଷ ପରେ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହୋଇଥିବାବେଳେ ପୁଅକୁ ଦେଖିବା ଲାଗି ବାପାଙ୍କ ବ୍ୟାକୁଳ ହେବା ସ୍ବାଭାବିକ । ତେବେ ତାଙ୍କୁ ନେଦରଲ୍ୟାଣ୍ଡ ପଠାଯିବ ନା ପୁଅକୁ ଭାରତ ଅଣାଯିବ ତାହାରି ଉପରେ ଏବେ ବିଚାର କରୁଛି ଜିଲ୍ଲା ଆଇନ ସେବା ପ୍ରାଧିକରଣ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ